ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ। କହିଲେ, କଲେଜିୟମ ବ୍ୟବସ୍ଥା ମାନିବାକୁ ବାଧ୍ୟ।

141

କନକ ବ୍ୟୁରୋ: କଲେଜିୟମ ହେଉଛି ଦେଶର ଆଇନ୍ । ଏହାକୁ ପାଳନ କରିବାକୁ ପଡିବ । ନହେଲେ ଖଣ୍ଡପୀଠ ଆବଶ୍ୟକ ନିର୍ଦ୍ଦେଶ ଦେବ । ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ତେଜିଛି । ଏହି ସମୟରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏଏସ ଓକାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏପରି କହିଛନ୍ତି । ଆଉ କେଉଁ କାରଣ ପାଇଁ ବିଚାରପତି ନିଯୁକ୍ତିରେ ବିଳମ୍ବ ହେଉଛି କେନ୍ଦ୍ର ସରକାରଙ୍କ ସହ କଥା ହୋଇ ପକ୍ଷ ରଖିବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି ।

କଲେଜିୟମ ଦ୍ୱାରା ସୁପାରିସ ହୋଇଥିବା ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବକୁ ନେଇ କୋର୍ଟ କହିଛନ୍ତି, ହୁଏତ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ପାରିତ ହୋଇନପାରିବାରୁ ସରକାର ଅସନ୍ତୁଷ୍ଟ ଅଛନ୍ତି । ତେଣୁ ବିଚାରପତି ନିଯୁକ୍ତିରେ ବିଳମ୍ବ ହେଉଛି । ସରକାର ବିଳମ୍ବ ନକରି କିଭଳି ଶୀଘ୍ର ପାରିତ କରିପାରିବେ ସେନେଇ କେନ୍ଦ୍ର ସରକାରଙ୍କ ସହ କଥା ହେବାକୁ ସଲିସିଟର ଜେନେରାଲ ଏବଂ ଆଟର୍ଣ୍ଣି ଜେନେରାଲଙ୍କୁ ଖଣ୍ଡପୀଠ କହିଛନ୍ତି । ନିକଟରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏକ ଟିଭି ଚ୍ୟାନେଲର କନକ୍ଲେଭରେ ରିଜଜୁ କଲେଜିୟମ ବ୍ୟବସ୍ଥାକୁ ଏଲିଏନ୍ ବୋଲି କହିଥିଲେ ।