କମ୍ପୁଛି ପଦ୍ମପୁର ମଇଦାନ,୩ ଦିନ ଧରି ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଧର୍ମେନ୍ଦ୍ର। ପ୍ରଚାର ପାଇଁ କାଲି ପହଞ୍ଚିବେ ନବୀନ।

104

କନକ ବ୍ୟୁରୋ: ପଦ୍ମପୁରରେ ଆସନ୍ତାକାଲି ପାୱାର ସୋ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାର ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ତିନି ତିନି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଦ୍ଧିତ କରିବେ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି । ଏ ନେଇ ବ୍ୟାପକ ଆୟୋଜନ କରିଛି ବିଜେଡି ।

ଦିନ ୧୧ଟା ୨୫ – ଝାରବନ୍ଧ
ଦିନ ୧୨ଟା ୩୦ – ପାଇକମାଳ ହାଇସ୍କୁଲ ପଡ଼ିଆ
ଅପରାହ୍ଣ ୩ଟା ୩୦ – ପଦ୍ମପୁର ହାଇସ୍କୁଲ ପଡ଼ିଆ

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ ନବୀନ । ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କଣ କହୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆସନ୍ତାକାଲି ପ୍ରଚାର ପାଇଁ ପହଞ୍ଚିବେ ପଦ୍ମପୁର । ସେ ବି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ରୋଡ ସୋ ଓ ଜନସଭା କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଅପିଲ କରିବେ ।

ଏପଟେ ୩ ଦିନ ହେଲା ବିଜେପି ପ୍ରଚାରର ମଙ୍ଗ ଧରିବା ସହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା କଥା ଉଠାଇବା ସହ କହିଛନ୍ତି ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦିଅନ୍ତୁ । ଧାନକିଣା, ଜଳସେଚନ, ଦାଦନ ଓ ଇନପୁଟ ସବସିଡି ପ୍ରସଙ୍ଗ ଉଠାଇଛନ୍ତି ଧର୍ମେନ୍ଦ୍ର । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଓ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ସ୍ଥାୟୀ ନିଯୁକ୍ତି ନହେବା ଦ୍ୱାରା ୧ଲକ୍ଷ ଶିକ୍ଷକ ମାନସିକ ଯନ୍ତ୍ରଣା ପାଉଛନ୍ତି ।

ପୁଣି ବର୍ଷିଲେ ଧର୍ମେନ୍ଦ୍ର
ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ମଂଜୁରୀ ଦିଅନ୍ତୁ ମୁଖ୍ୟମନ୍ତ୍ରୀ
ଧାନକିଣା, ଜଳସେଚନ, ଦାଦନ ଓ ଇନପୁଟ ସବସିଡି ପ୍ରସଙ୍ଗରେ ସମାଲୋଚନା
ସ୍ଥାୟୀ ନିଯୁକ୍ତି ନହେବା ଦ୍ୱାରା ୧ଲକ୍ଷ ଶିକ୍ଷକ ମାନସିକ ଯନ୍ତ୍ରଣା ପାଉଛନ୍ତି

ଦିନ ଯେତିକି ପାଖେଇ ଆସୁଛି, ପଦ୍ମପୁରବାସୀଙ୍କ ହୃଦୟ ଜିତିବାକୁ ସେହି ଅନୁରୂପ ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀ । ବାଜି ଜିତିବାକୁ ପୂରା ଦମ ଲଗାଇ ଦେଇଛନ୍ତି ତିନି ରାଜନୈତିକ ଦଳ । ଦଳ ଦଳ ମଧ୍ୟରେ ଆକ୍ଷେପ-ପ୍ରତି ଆକ୍ଷେପ ରୋଚକ ହେବାରେ ଲାଗିଛି ।