ବଢ଼ୁଛି ଏଡସ୍ ସଂକ୍ରମିତଙ୍କ ସଂଖ୍ୟା: ଆକ୍ରାନ୍ତ କହିଲେ, ସେମାନଙ୍କ ଅଙ୍ଗେନିଭା କାହାଣୀ

699

କନକ ବ୍ୟୁରୋ: ଏଡସ ନିୟନ୍ତ୍ରଣ ପାଇଁ ସାରା ବିଶ୍ୱରେ ଆଜି ପାଳନ ହେଉଛି ବିଶ୍ୱ ଏଡ଼ସ ଦିବସ । ସହର ଠାରୁ ଗାଁ ଯାଏ ସବୁଠି ସଚେତନ କରାଯାଉଛି । ତେବେ ଏବେ ବି ଭାରତ ସମେତ ସମଗ୍ର ବିଶ୍ୱରେ ଏଚଆଇଭି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗର କୌଣସି ଚିକିତ୍ସା ନାହିଁ । ଦଶନ୍ଧି ପରେ ଦଶନ୍ଧି ବିତିଯାଇଥିଲେ ବି ଏହି ରୋଗ ପାଇଁ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ହୋଇପାରିନାହିଁ । କିନ୍ତୁ ଏହି ରୋଗକୁ ନେଇ ଲୋକଙ୍କ ମନରେ ଆଜି ବି ଅନେକ ଅନ୍ଧବିଶ୍ୱାସ ରହିଛି । ଯାହା ଏପର୍ଯ୍ୟନ୍ତ ଦୂର ହୋଇପାରିନାହିଁ । ଯାହା ଏଡସ ଆକ୍ରାନ୍ତଙ୍କୁ ସୁସ୍ଥ କରିବା ବଦଳରେ ଆହୁରି ଗୁରୁତ୍ୱର କରୁଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଶିକିରୀ ଗାଁର ସୁନିତ । ୨୦୦୨ରେ କରିଥିଲେ ବିବାହ । ଅନ୍ୟ ଝିଅଙ୍କ ଭଳି ସୁନାର ସଂସାର ଗଢିବା ପାଇଁ ସେ ବି ଦେଖିଥିଲେ ସ୍ୱପ୍ନ । କିନ୍ତୁ ବିବାହର କେଇ ଦିନ ପରେ ସବୁକିଛି ବଦଳିଗଲା । ସ୍ୱାମୀ ସୁରତରେ କାମ କରୁଥିବା ବେଳେ ଏଡ଼ସ ରୋଗରେ ସଂକ୍ରମଣ ହୋଇଥିଲୋ ଆଉ ୨୦୦୭ ତାଙ୍କର ମୃତ୍ୟୁ ହୋଇଥିଲା । ତାପରେ ସୁନୀତା ଓ ତାଙ୍କ ପୁଅଙ୍କ ପରିକ୍ଷା କରିବା ପରେ ଜଣାପଡିଲା ଯେ ସୁନିତା ବି ପଜିଟିଭ ଅଛନ୍ତି । ପୁଅର ମୃତ୍ୟୁ ପାଇଁ ବୋହୁ ସୁନୀତାଙ୍କୁ ଦାୟୀ କଲେ ଶ୍ୱଶୁର ଘର ଲୋକ । ଘରୁ ବି ବିଦା କରି ଦେଲେ । ହେଲେ, ଏତେ ଝଡ ଝଞ୍ଝା ଦେଖିଲା ପରେ ବି ହାର ମାନି ନାହାନ୍ତି ସୁନୀତା । ନିଜେ ବଂଚିବା ସହ ଏଡସ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ।

ସନ୍ତୋଷ । ବେୁନିଆପଡ଼ା ବ୍ଲକର ସନ୍ତୋଷ ପିଲା ଦିନରୁ ସୁରତରେ କାମ କରୁଥିଲେ । ଅସୁରକ୍ଷିତ ସମ୍ପର୍କ ରଖିବାରୁ ଏଚଆଇଭି ପଜିଟିଭ ହୋଇଥିଲେ । ଏଡସ ସଂକ୍ରମିତ ହେବା ପରେ ଆତ୍ମହତ୍ୟା କରିବାକୁ ବି ନିଷ୍ପତି ନେଇଥିଲେ । କିନ୍ତୁ ପରିବାର କଥା ଭାବି ଅଟକି ଯାଇଥିଲେ । ଆଉ ବଂଚିବା ପାଇଁ ଆରମ୍ଭ କରିଥିଲେ ସଂଘର୍ଷ । ସେ ଏବେ ନିଜେ ବଂଚିବା ସହ ଲୋକଙ୍କୁ ଏଡସ ସମ୍ପର୍କିରେ ସଚେତନ କରୁଛନ୍ତି ।

ଏଡସ ଜାଲରେ ଛନ୍ଦି ହୋଇଛି ଗଞ୍ଜାମ ଜିଲ୍ଲା । ପ୍ରତିବର୍ଷ ସାରା ରାଜ୍ୟରେ ଚିହ୍ନଟ ହୋଇଥିବା ଏଡସ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ହେଉଛନ୍ତି କେବଳ ଗଞ୍ଜାମ ଜିଲ୍ଲାର । ପୂର୍ବ ଅପେକ୍ଷା ଏହି ପ୍ରତିଶତ କମିଥିଲେ ବି ଏଡସ ରୋଗୀଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ୧ ନମ୍ବରରେ ରହିଛି । ୨୦୦୦ ରୁ ୨୦୨୨ ଅକ୍ଟୋବର ମାସ ମଧ୍ୟରେ ୧୫ ଲକ୍ଷ ୭୨ ହଜାର ୯୯୦ ଜଣଙ୍କ ଏଚଆଇଭି ପରୀକ୍ଷା କରାଯାଇଥିବାବେଳେ ୧୭ ହଜାକ ୪୪୮ ଙ୍କ ରକ୍ତ ନମୁନାରେ ଏଚଆଇଭି ଭାଇରସ ରହିଥିବା ଓସାକ୍ସ କହିଛି । ତେବେ ଗଞ୍ଜାମ ସମେତ ଖୋର୍ଧା, କଟକ, ବାଲେଶ୍ୱର,ଅନୁଗୁଳ ଓ ନବରଙ୍ଗପୁରରେ ଅଧିକ ଏଡସ ରୋଗୀ ଚିହ୍ନଟ ହେଉଛନ୍ତି ।

ରାଜ୍ୟରେ ରୋଜଗାର ପନ୍ଥାର ସେଭଳି ବିଶେଷ ସୁଯୋଗ ନଥିବାରୁ ପ୍ରତିବର୍ଷ ହଜାର ହଜାର ଲୋକ ରାଜ୍ୟ ବାହାରକୁ କାମ ସନ୍ଧାନରେ ଯାଉଛନ୍ତି । ତେବେ ଅନେକ ଅସୁରକ୍ଷିତ ଯୌନ ସମ୍ପର୍କ ରଖୁଥିବାରୁ ଏଡସ ବ୍ୟାପୁଥିବା ବିଶେଷଜ୍ଞ କହିଛନ୍ତି । ତେବେ ଏଚ ଆଇ ଭି ପଜିଟିଭ ହେବାକୁ ଥିବା ହାଇ ରିସ୍କ ଗ୍ରୁପର ତଥ୍ୟ ଏବେ ଯୋଗାଡ କରୁଛି ଓସାକ୍ସ । ୨୦୦୮ ପରଠାରୁ ଏନେଇ ତଥ୍ୟ ସଂଗ୍ରହ କରାଯାଇନଥିବାବେଳେ ଚଳିତ ବର୍ଷ ଏନେଇ କାମ ଆରମ୍ଭ କରିଛି ଓସାକ୍ସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଡସ ଚିକିତ୍ସିତ ହେଲେ, ଆକ୍ରାନ୍ତ ସମ୍ପୂଣ୍ଣ ସୁସ୍ଥ ନହେଲେ ବି ମୃତ୍ୟୁ ହାର କମ୍ ରହିଛି ।