ଜେଇ ସିଭିଲ ପରୀକ୍ଷା ବାତିଲ : ବଢିଲା ଚାକିରି ଆଶାୟୀଙ୍କ ଚିନ୍ତା; ଏତେ ବଡ ପରୀକ୍ଷାରେ କେମିତି ଲିକ ହେଲା ପ୍ରଶ୍ନପତ୍ର ?

335

କନକ ବ୍ୟୁରୋ : ବାତିଲ ହୋଇଛି ଜେଇ ସିଭିଲ ପରୀକ୍ଷା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ ହୋଇଥିବା ଜେଇ ସିଭିଲ୍ ପରୀକ୍ଷା ବାତିଲ ହୋଇଛି । ଏବେ ନୂଆ ତାରିଖରେ ପରୀକ୍ଷା ହେବ । କିନ୍ତୁ ଏହାକୁ ନେଇ ଚିନ୍ତାରେ ଚାକିରି ଆଶାୟୀ । କାରଣ ସେମାନେ ଏବେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ପରୀକ୍ଷା ହୋଇଛି ।

ଯଦିଓ ସେ ସମୟରେ ଅନିୟମିତତାକୁ ନେଇ କୌଣସ ଅଭିଯୋଗ ଆସିନି କିନ୍ତୁ ଏବେ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଜଣାପଡିବାରୁ ସନ୍ଦେହ ପ୍ରକାଶ କରିଛନ୍ତି ଆଶାୟୀ । ଏହି ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ଓଡିଶା ବିହାର ଓ ଆନ୍ଧ୍ରପ୍ରଦେଶର ବୋଲି କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ।

ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଓଡିଶାରେ ବୋଧହୁଏ ବିରଳ । ପୂର୍ବରୁ ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ବ୍ୟାପମ ଭଳି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କିନ୍ତୁ ଓଡିଶାରେ ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ ହେବା ଖୁବ ବିରଳ ।