କେମିତି ହେଲା ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ? ମୁଣ୍ଡିଆ ମାରି ଚାକିରି ଆଶାୟୀଙ୍କ ପ୍ରତିବାଦ; ଖାଲି ପାଦରେ ଗଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

365

କନକ ବ୍ୟୁରୋ : ତେଜୁଛି ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ । ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଚାକିରି ଆଶାୟୀ । ହେଲେ ଭେଟିଲେନି ଅଧ୍ୟକ୍ଷ । ଏବେ ଆଶାୟୀ ମାନେ ଖାଲି ପାଦରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ । ଏହା ପୂର୍ବରୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରିଥିଲେ । କିନ୍ତୁ ଅଧ୍ୟକ୍ଷ ଦେଖା ଦେଲେନି । ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ଆଶାୟୀ ।

ଯେଉଁ ଅଧିକାରୀ ମାନେ ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାମିଲ ଅଛନ୍ତି ତାଙ୍କ ନାମ ସାମ୍ନାକୁ ଆସିବା ଆବଶ୍ୟକ ଓ ସେହି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରଖିଛନ୍ତି । ପୂର୍ବରୁ ହୋଇଥିବା ଜେଇ ସିଭିଲ୍ ପରୀକ୍ଷା ଗତକାଲି ବାତିଲ ହୋଇଛି । ଏହାପରେ ସେପ୍ଟେମ୍ବର ୩ ତାରିଖରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି ।

ଅଭିଯୁକ୍ତମାନେ ଓଡିଶା ବିହାର ଓ ଆନ୍ଧ୍ରପ୍ରଦେଶର ବୋଲି କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଓଡିଶାରେ ବୋଧହୁଏ ବିରଳ । ପୂର୍ବରୁ ଆମେ ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ବ୍ୟାପମ ଭଳି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କିନ୍ତୁ ଓଡିଶାରେ ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ ହେବା ଖୁବ ବିରଳ ।