ବିଧାନସଭାରେ ଲୋୟର ପିଏମଜିର ତାତି। ବିରୋଧୀଙ୍କ ହଲ୍ଲାବୋଲ, ଗୃହ ଅଚଳ।

71

କନକ ବ୍ୟୁରୋ: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ଖଣ୍ଡଯୁଦ୍ଧର ତାତି ବିଧାନସଭାରେ ଦେଖିବାକୁ ମିଳିଛି । ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଅଭିଯୋଗ ଆଣି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ଗୃହକାର୍ଯ୍ୟ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ ତଳେ ପେପର କଟିଂ ଦେଖାଇ ପ୍ରତିବାଦ କରିଛନ୍ତି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ ଚାଲିପାରିନଥିଲା । ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ପୁଲିସ ଗୁଣ୍ଡାରାଜ ଚଲାଇଛି । ମିଛ ଅଭିନୟ କରି ପୁଲିସ କର୍ମଚାରୀ ହସ୍ପିଟାଲରେ ଆଡମିଶନ ହୋଇଛନ୍ତି । ଆକ୍ରମଣ କରି ଓଲଟା ୩୦୭ଦଫା ଲଗାଇବା ଦୁର୍ଭାଗ୍ୟଜନକ । ଜବାବ ଦେଇ ବିଜେଡି ବିଧାୟକ କହିଛନ୍ତି, ବିଜେପି କର୍ମୀ ପୁଲିସ ସହ ଗଣ୍ଡଗୋଳ କରିବାକୁ ପୂର୍ବ ପ୍ରସ୍ତୁତି ହୋଇଆସିଥିଲେ ।

ଆନ୍ଦୋଳନବେଳେ କିଏ କାହାକୁ ମାରିଛି? ପୋଲିସ ନା ବିଜେପି ଯୁବମୋର୍ଚ୍ଚା କର୍ମୀ, କିଏ ଗୁଣ୍ଡାରାଜ କରିଛି? ଏନେଇ ଚର୍ଚ୍ଚା ଭିତରେ ଗିରଫ ହୋଇ ଜେଲରେ ଥିବା ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଭେଟିଛନ୍ତି ବିଜେପି ନେତା । ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଭୁବନେଶ୍ୱର ଝାରପଡା ଜେଲ ଗସ୍ତ କରି ଗିରଫ ଯୁବମୋର୍ଚ୍ଚାର କର୍ମୀଙ୍କୁ ଭେଟିଛନ୍ତି । ସେପଟେ, ଏସସିବି ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ପୋଲିସ କମିଶନର ।

ଖଣ୍ଡଯୁଦ୍ଧକୁ ନେଇ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ବିରୋଧରେ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ବାଧା ଦେବା, ଆକ୍ରମଣ କରିବା, ହତ୍ୟା ଉଦ୍ୟମ, ଜୀବନରୁ ମାରିବାକୁ ଧମକ ଦେବା, ହିଂସା ଘଟାଇବା, ସର୍ବସାଧାରଣ ସମ୍ପତି ନଷ୍ଟ କରିବା ଭଳି ସଙ୍ଗୀନ ଦଫା ଲାଗିଛି । ଆଇପିସିର ଦଫା, ୧୪୭, ୨୯୪, ୩୫୩, ୩୨୩, ୩୩୨, ୩୨୫, ୩୦୭, ୫୦୬, ୧୪୮, ୧୪୯, ୨୨୪, ୩୩୩ ଲଗାଇଛି ପୋଲିସ । ଏଥିସହ ପୁଲିସକୁ ମାଡ ମାରିଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି କମିଶନରେଟ୍ ପୋଲିସ । ଯାହାକୁ ନେଇ ସରଗରମ ହୋଇଛି ରାଜନୀତି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଗିରଫ ଦାବିରେ ରାତି ସାରା କ୍ୟାପିଟାଲ ଥାନା ସମ୍ମୁଖରେ ଧାରଣା ଦେଇଥିଲା ବିଜେପି । ସାଧା ପୋଷାକଧାରୀ ପୋଲିସ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ମହିଳା କର୍ମୀଙ୍କୁ ଅସଦାଚରଣ କରିଥିବା ଦଳ ଅଭିଯୋଗ କରିଛି । ବିଜେଡି ପ୍ରେସମିଟ୍ କରି କହିଛି, ପୋଲିସମାନେ ନିଜ କର୍ତ୍ତବ୍ୟରେ ନ୍ୟସ୍ତ ଥିବାବେଳେ ସବୁ ସୀମା ପାର କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ।

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କୌଣସି ରାଜନୈତିକ ଦଳ ଆନ୍ଦୋଳନ କରିବା, ନୂଆ କଥା ନୁହେଁ । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେବା, ଧସ୍ତାଧସ୍ତି ହେବା ବି କିଛି ନୂଆ କଥା ନୁହେଁ । କିନ୍ତୁ ଆନ୍ଦୋଳନ ସମୟରେ, ଢେଲାପଥର ମାଡ କରିବା, ତଳେ ପକେଇ ବିଧା – ଗୋଇଠା ମାରିବାର ଦୃଶ୍ୟ ଶାନ୍ତିପ୍ରିୟ ରାଜ୍ୟ ଓଡିଶାବାସୀଙ୍କ ଭିତରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରୁଛି ।