ସତ୍ୟେନ୍ଦ୍ର, ସିସୋଦିଆଙ୍କ ଖାଲି ସ୍ଥାନ ହେବ ପୂରଣ! ସୌରଭ, ଆତିଶୀଙ୍କ ଉପରେ କେଜ୍ରିୱାଲଙ୍କ ଭରଷା

51

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାମ ଓ ଡାହାଣ ହାତ କୁହାଯାଉଥିବା ମନିଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ସରକାରଙ୍କ ଏହି ଦୁଇ ହାଇପ୍ରୋଫାଇଲ ମନ୍ତ୍ରୀ ପ୍ରଥମେ ଦୁର୍ନୀତିରେ ଫଶିବା, ପରେ ସିବିଆଇ ରାଡାରକୁ ଯିବା,ଜେଲକୁ ପଠାଯିବା ଘଟଣା ପରେ ଇସ୍ତଫା ଦେବାକୁ ନେଇ କେଜ୍ରିୱାଲଙ୍କୁ ଲାଗିଛି ବଡ ଝଟକା । ଏବେ ଏମାନଙ୍କ ସ୍ଥାନ କିଏ ନେବେ ଏନେଇ ଚାଲିଛି ମାନସମନ୍ଥନ । ସିସୋଦିଆ, ସତ୍ୟେନ୍ଦ୍ରଙ୍କ ସ୍ଥାନରେ ବିଧାୟକ ସୌରଭ ଭରଦ୍ୱାଜ ଓ ଆତିଶିଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳଙ୍କ ଭିକେ ସକସେନାଙ୍କୁ ନିକଟକୁ କେଜ୍ରିୱାଲ ସୁପାରିଶ କରିଛନ୍ତି । ଖୁବ ଶିଘ୍ର ନିର୍ଣ୍ଣାୟକ ନିଷ୍ପତି ନିଆଯିବ । ଦଳ କହିଛି ବର୍ତମାନ ସମୟ ଏକ ଚ୍ୟାଲେଞ୍ଜର ସମୟ । କେଜ୍ରିୱାଲଙ୍କ ନେତୃତ୍ୱ ଦଳ ଖରାପ ସମୟକୁ ଅତିକ୍ରମ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସାଂସଦ ସଂଜୟ ସିଂ ।

ଦିଲ୍ଲୀ ସରକାରରେ ମୋଟ୍ ୬ ଜଣ ମନ୍ତ୍ରୀ ଥିଲେ । କେଜ୍ରିୱାଲ କୌଣସି ବିଭାଗକୁ ନିଜ ପାଖରେ ରଖିନାହାନ୍ତି । ସିସୋଦିିଆ ଦିଲ୍ଲୀ ସରକାରରେ ଥିବା ୩୩ ଟି ପୋର୍ଟଫୋଲିଓରୁ ୧୮ଟି ପୋର୍ଟଫୋଲିଓ ନିଜ ପାଖରେ ରଖିଥିଲେ । ଯେଉଁଥିରେ ଶିକ୍ଷା, ଅର୍ଥ ଏବଂ ପିଡବ୍ଲ୍ୟୁଡି ଭଳି ପ୍ରମୁଖ ବିଭାଗ ଥିଲା । ଗତ ବର୍ଷ ମେ ମାସରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବା ପରେ ସିସୋଦିିଆଙ୍କ କାର୍ଯ୍ୟ ଭାର ବଢିଥିଲା । ସ୍ୱାସ୍ଥ୍ୟ, ଶିଳ୍ପ, ଶକ୍ତି, ଗୃହ, ସହରୀ ବିକାଶ, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ଆଦି ପୋର୍ଟଫୋଲିଓ ସିସୋଦିିଆଙ୍କୁ ହସ୍ତାନ୍ତର କରାଯାଇଥିଲା ।

କୁହାଯାଏ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ପାଖରେ କୌଣସି ବିଭାଗ ନରଖି ଦଳର କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱ ଦିଅନ୍ତି । ବର୍ତମାନ ପ୍ରଶ୍ନ ଉଠୁଛି ନୂଆ ଚେହେରାଙ୍କୁ ବଡ ଦାୟିତ୍ୱ ଦେବା ପରେ କେଜ୍ରିୱାଲ ସ୍ଥିତିକୁ ସମ୍ଭାଳିବାରେ ସଫଳ ହେବେ କି?ଆଗକୁ ସିସୋଦିଆ ଓ ସତ୍ୟେନ୍ଦ୍ରଙ୍କ ଭାଗ୍ୟର ମୋଡ କେଉଁ ଦିଗକୁ ବଦଳିବ? କିଭଳି ସ୍ୱଚ୍ଛଭାବ ମୂର୍ତି ସହ ଦିଲ୍ଲୀରେ ରାଜ କରୁଥିବା ଆମ ଆଦମୀ ପାର୍ଟି ଫେରିପାଇବ ସେହି ଆସ୍ଥା ଓ ବିଶ୍ୱାସ ।