ପୁଣି ଥରେ ଆପତିଜନକ ବୟାନ ଦେଇ ବିବାଦରେ ଉଦୟନିିଧି ଷ୍ଟାଲିନ: କହିଲେ ବିଜେପି ହେଉଛି ବିଷଧର ସାପ, ଏଆଇଏଡିଏମକେ ଅଳିଆ ଗଦା

194

କନକ ବ୍ୟୁରୋ: ସନାତନ ଧର୍ମ ବିରୋଧୀ ବୟାନ ସମାଲୋଚନା ଘେରରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ଥରେ ଖବରରେ । ଏଥକ ମନ୍ତ୍ରୀ ସିଧାସଳଖ ବିଜେପି ଓ ଏଆଇଏଡିଏମକେକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି । ବିଜେପିକୁ ବିଷଧର ସାପ ଓ ଏଆଇଏଡିଏମକେକୁ ଅଳିଆ ଗଦା ସହ ତୁଳନା କରିଛନ୍ତି ଷ୍ଟାଲିନ । ସେପଟେ ଜବାବ ରଖି ବିଜେପି କହିଛି ଡିଏମକେ ନେତା ନୀଚ୍ଚ ରାଜନୀତି କରୁଛନ୍ତି ।

କିଛି ଦିନ ପୂର୍ବରୁ ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ସମାଲୋଚନା ଘେରରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ଥରେ ଚର୍ଚ୍ଚାରେ । ଏଥରକ କୌଣସି ଧର୍ମ କି ବ୍ୟକ୍ତିଙ୍କୁ ସେ ଟାର୍ଗେଟ କରିନାହାଁନ୍ତି ବଂର ସିଧାସଳଖ ବିଜେପିକୁ ବିଷଧର ସାପ ବୋଲି କହିଛନ୍ତି । ରବିବାର ଏକ କାର୍ଯ୍ୟକ୍ରମରେ ଉଦୟନିଧି ଉଭୟ ବିଜେପି ଓ ପ୍ରତିନ୍ଦ୍ୱନ୍ଦୀ ଆଂଚଳିକ ଦଳ ଏଆଇଏଡିଏମକେକୁ ଟାର୍ଗେଟ କରିଥିଲେ । ଷ୍ଟାଲିନ କହିଛନ୍ତି ଯଦି କୌଣସି ବିଷଧର ସାପ ଆପଣଙ୍କ ଘରେ ପଶିଯାଏ, ଏହାକୁ ଘଉଡାଇ ଦେବା ଠିକ ହେବନି । କାରଣ ଘରର ଅଳିଆରେ ହୁଏତ ସାପ ଲୁଚି ରହିପାରେ । ଯେଉଁ ପର୍ଯ୍ୟନ୍ତ ଅଳିଆକୁ ସଫା ନକରିବେ ସେପର୍ଯ୍ୟନ୍ତ ସାପ ରହିବା ଓ ଫେରିବା ଆଶଙ୍କା ରହିଥାଏ । ଯଦି ଏହି ଘଟଣାକୁ ତାମିଲନାଡୁ ରାଜନୀତିର ବର୍ତମାନ ସ୍ଥିତି ସହ ତୁଳନା କରିବା ତେବେ ବିଷଧର ସାପ ‘ବିଜେପି’ ଓ ଅଳିଆଗଦା ‘ଏଆଇଏଡିଏମକେ’କୁ ସଫା କରିବା ଜରୁରୀ । ବିଜେପି ଭଳି ବିଷଧର ସାପଠୁ ମୁକ୍ତି ଚାହୁଁଥିଲେ ଏଆଇଏଡିଏମକେ ପରି ଅଳିଆକୁ ତାମିଲନାଡୁର ସଫା କରିବାକୁ ପଡିବ ।

ନିକଟରେ ତାମିଲନାଡୁ ଅନ୍ୟତମ ହେଭିୱେଟ ଡିଏମକେ ନେତା ଏ ରାଜା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାପ ସହ ତୁଳନା କରି ବିବାଦକୁ ଆସିଥିଲେ । ଆଉ ଏବେ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ଯେତିକି ଚର୍ଚ୍ଚା ଆରମ୍ଭ ହୋଇଛି ସେତିକି ବିବାଦ ମଧ୍ୟ ଆରମ୍ଭ ହୋଇଛି । ବିଜେପି କହିଛି ଡିଏମକେ ରାଜନେତାଙ୍କ ଏହା ହେଉଛି ନିଚ୍ଚ ରାଜନୀତି ।

ବିଜେପିକୁ କେବଳ ବିଷଧର ସାପ କହିନାହାଁନ୍ତି ଉଦୟନିଧ ଷ୍ଟାଲିନ ବଂର ସନାତନ ଧର୍ମକୁ ନେଇ ବିଜେପି ଯେଉଁ ଟାର୍ଗେଟ କରି ଆସୁଛି ଏହାର ପାଲଟା ଜବାବ ମଧ୍ୟ ସେ ଦେଇଛନ୍ତି । ନିଜ ଟୁଇଟର ପେଜରରେ ଏକ ମଶା ମାରିବା ପାଇଁ ବ୍ୟହାର କରାଯାଉଥିବା ଅଗରବତୀ ଫଟୋ ପୋଷ୍ଟ କରିଛନ୍ତି ଷ୍ଟାଲିନ । ନିକଟରେ ଷ୍ଟାଲିନ କହିଥିଲେ ସନାତନ ଧର୍ମ ହେଉଛି ଡେଙ୍ଗୁ ଓ ମ୍ୟାଲେରିଆ ସଦୃଶ । ଏହାର ମୂଳଉତ୍ପାଟନ କରିବା ଜରୁରୀ । ଯାହାକୁ ଧର୍ମଗୁରୁ, ହିନ୍ଦୁ ସଂଗଠନ ଓ ବିଜେପି ପ୍ରବଳ ବିରୋଧ କରିଥିଲା ।