ଓମିକ୍ରନର ଭୟ ଭିତରେ ଭଲ ଖବର । ଡେଲଟା ବିରୋଧରେ ମୁକାବିଲା ପାଇଁ ଆଣ୍ଟିବଡି ସୃଷ୍ଟି କରୁଛି ଓମିକ୍ରନ ।

191

କନକ ବ୍ୟୁରୋ : ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳି ଯାଇଥିବା ବେଳେ ଆସିଛି ଭଲ ଖବର । ଦକ୍ଷିଣ ଆଫ୍ରିକାରେ ହୋଇଥିବା ଗବେଷଣାରୁ ଜଣାପଡିଛି ଓମିକ୍ରନ ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଟିବଡି, ଡେଲଟା ଭୂତାଣୁକୁ ବି ରୋକିବାରେ ସମର୍ଥ ହେଉଛି । ଗବେଷକମାନେ କହିଛନ୍ତି, ଓମିକ୍ରନ ଯୋଗୁଁ ଡେଲଟା ଭୂତାଣୁର ପ୍ରଭାବ ହ୍ରାସ ପାଇପାରେ । ରୋଗୀ ଅଧିକ ଗୁରୁତର ହେବେ ନାହିଁ । ଏପଟେ ଆଉ ଏକ ଭଲ ଖବର ହେଉଛି, ଟିକା ସୁରକ୍ଷାକୁ ଭେଦ କରି ପାରୁଥିବା ଓମିକ୍ରନ ଭୂତାଣୁର ଆଣ୍ଟିବଡି ଚିହ୍ନଟ କରିବାରେ ସମର୍ଥ ହୋଇଛନ୍ତି ବୈଜ୍ଞାନିକ । ନେଚର୍ ଜର୍ଣ୍ଣାଲରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି । ଯେଉଁ ଆଣ୍ଟିବଡି, ଓମିକ୍ରନର ସ୍ପାଇକ୍ ପ୍ରୋଟିନକୁ ଅଟକାଇ ପାରୁଛି, ତାକୁ ଜାଣି ପାରିଛନ୍ତି ବୈଜ୍ଞାନିକ । ଫଳରେ ଓମିକ୍ରନ ବିରୋଧରେ କାମ କରୁଥିବା ଭ୍ୟାକସିନ ନିର୍ମାଣରେ ଏହା ସହାୟକ ହେବ ।

ଓମିକ୍ରନ ସୃଷ୍ଟି କରୁଛି ଆଣ୍ଟିବଡି ! ଡେଲଟା ଭୂତାଣୁକୁ ରୋକିବ ଓମିକ୍ରନ ? ଆଶ୍ୱସ୍ତି ଆଣିଛି, ଦକ୍ଷିଣ ଆଫ୍ରିକାର ଗବେଷଣା । ଗବେଷଣାକୁ ଜଣାପଡିଛି, ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ୧୫ ଦିନ ମଧ୍ୟରେ ଯେଉଁ ଆଂଟିବଡି ସୃଷ୍ଟି ହେଉଛି, ତାହା ଡେଲଟା ଭୂତାଣୁ ବିରୋଧରେ ଢାଲ ଭଳି କାମ କରୁଛି । ଅର୍ଥାତ୍ ଡେଲ୍ଟା ଭୂତାଣୁକୁ ରୋକିବାରେ ସାହାଯ୍ୟ କରିବ ଓମିକ୍ରନ । ଡେଲଟା ଭୂତାଣୁ ଯୋଗୁଁ ରୋଗୀ ଅଧିକ ଗୁରୁତର ହେଉଥିଲେ, ଓମିକ୍ରନ ଯୋଗୁଁ ଗୁରୁତର ରୋଗୀଙ୍କ ସଂଖ୍ୟା କମିବ ବୋଲି ଗବେଷଣାରୁ ଜଣାପଡିଛି ।

ନଜର ପକାନ୍ତୁ ଦକ୍ଷିଣ ଆଫ୍ରିକାର ଗବେଷଣା ଉପରେ,
ଓମିକ୍ରନ ଆକ୍ରାନ୍ତଙ୍କୁ ନେଇ ହୋଇଥିଲା ଗବେଷଣା
ସେଥିରେ ଥିଲେ ଉଭୟ ଟିକା ନେଇଥିବା ଓ ନେଇ ନଥିବା ଆକ୍ରାନ୍ତ
୧୫ ଦିନରେ ସୃଷ୍ଟି ହେଉଥିବା ଆଂଟିବଡି ଉପରେ ଗବେଷଣା
ଓମିକ୍ରନ ବିରୋଧରେ ଲଢ଼ିବା ପାଇଁ ୧୪ ଗୁଣ ଅଧିକ ରୋଗ ପ୍ରତିରୋଧ ଶକ୍ତି
ଡେଲଟା ଭୂତାଣୁ ବିରୋଧରେ କାମ କରୁଛି ସୃଷ୍ଟି ହେଉଥିବା ଆଣ୍ଟିବଡି
ଓମିକ୍ରନ ଯୋଗୁଁ ଡେଲଟା ଭୂତାଣୁଜନିତ ଗୁରୁତର ରୋଗୀଙ୍କ ସଂଖ୍ୟା କମିବ

ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହୋଇଥିଲା, ପରେ ଏହା ୟୁରୋପ ଓ ଆମେରିକାରେ ଉଗ୍ର ରୂପ ନେଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାରେ କିଛି ଦିନ ହେଲା ସଂକ୍ରମଣ ହ୍ରାସ ପାଇବା ନେଇ ସୂଚନା ମିଳିଛି । ସବୁଠୁ ବଡ଼ କଥା ହେଉଛି, ଡେଲଟା ଉପରେ ଓମିକ୍ରନ ପ୍ରଭାବ ବିସ୍ତାର କରୁଥିବା ନେଇ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ସେପଟେ ଓମିକ୍ରନ ଯୋଗୁଁ ଆମେରିକାରେ ଦୈନିକ ସଂକ୍ରମଣ ୫ ଲକ୍ଷ ଟପିଥିବା ବେଳେ ଫ୍ରାନ୍ସର ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି । ଆଉ ଏହାରି ଭିତରେ ଭଲ ଖବର ହେଉଛି, ଓମିକ୍ରନକୁ ରୋକି ପାରୁଥିବା ଆଣ୍ଟିବଡି ଚିହ୍ନଟ କରି ପାରିଛନ୍ତି ବୈଜ୍ଞାନିକ । ଫଳରେ ଖୁବ ଶୀଘ୍ର ଓମିକ୍ରନ ଓ ଅନ୍ୟ ପ୍ରଜାତିକୁ ରୋକିବା ପାଇଁ ଟିକା ନିର୍ମାଣ ସହଜ ହୋଇପାରିବ ବୋଲି କୁହାଯାଉଛି ।