ପୁରୁଣା ପେନସନ୍ ଯୋଜନାରେ କେଉଁମାନଙ୍କୁ କରାଯିବ ସାମିଲ, ଜାଣନ୍ତୁ ସରକାରଙ୍କ ଚିଠିରେ କ’ଣ ରହିଛି ନିୟମ କାନୁନ

9,332

କନକ ବ୍ୟୁରୋ : ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ସରକାରୀ କର୍ମଚାରୀ ଥାନ୍ତି ତେବେ ଏହି ଖବର ଆପଣମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ତରଫରୁ ୨୦୦୩ ଡିସେମ୍ବର ୨୨ ତାରିଖ ସୁଦ୍ଧା ବହାରିଥିବା ନିଯୁକ୍ତି ବିଜ୍ଞାପନ ମୁତାବକ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ପୁରୁଣା ପେନସନ୍ ଯୋଜନାରେ ସାମିଲ କରାଯିବ । ଏଥିରେ ଆଇଏଏସ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ସାମିଲ କରାଯିବ । ଏନେଇ ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ଆବେଦନ କରିବାକୁ ପଡିବ । ଏନେଇ କାର୍ମିକ ମନ୍ତ୍ରଣାଳୟରେ ଉପ ସଚିବ ସଂଜୀବ ନାରାୟଣ ସମସ୍ତ ରାଜ୍ୟକୁ ଚିଠି ପଠାଇଛନ୍ତି ।

ଆପଣଙ୍କୁ କହିରଖୁ କି, ଦେଶରେ ସରକାରୀ କର୍ମଚାରୀଙ୍କ ପାଇଁ ୨୦୦୪ ଜାନୁଆରୀ ମାସରୁ ପୁରୁଣା ପେନସନ ସମାପ୍ତ କରାଯାଇ ନୂଆ ପେନସନ୍ ଯୋଜନା ଲାଗୁ କରାଯାଇଛି । ଏହାକୁ ଏନପିଏସ ବା ନ୍ୟୁ ପେନସନ୍ ସିଷ୍ଟମ ବୋଲି କୁହାଯାଉଛି । ଏହି କ୍ରମରେ ସରକାରୀ କର୍ମଚାରୀମାନେ ସେମାନଙ୍କ ଦରମାର ୧୦ ପ୍ରତିଶତ ପେନସନ ପାଇଁ କାଟୁଛନ୍ତି । ପୁରୁଣା ପେନସନ୍ ଯୋଜନାରେ ଜିପିଏଫର ସୁବିଧା ଥିବା ବେଳେ ନୂଆ ପେନସନ ଯୋଜନାରେ ଏହା ଉପଲବ୍ଧ ନାହିଁ । ସେପଟେ କିଛି ରାଜ୍ୟ ସରକାର ଏବେ ସେମାନଙ୍କ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ପୁଣିଥରେ ଲାଗୁ କରିଛନ୍ତି ।

ପୁରୁଣା ପେନସନ୍ ଯୋଜନାକୁ ନେଇ କାର୍ମିକ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି କେନ୍ଦ୍ରୀୟ ସଶସ୍ତ୍ର ବଳର କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରାଯିବ ନାହିଁ ।