ବୃଦ୍ଧ ଦମ୍ପତିଙ୍କ ପେପର ପ୍ଲେଟ୍ ୟୁନିଟ୍: ଅନ୍ୟ ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମରେ କରୁଛନ୍ତି ଜୀବିକା ନିର୍ବାହ

389

କନକ ବ୍ୟୁରୋ: ବୃଦ୍ଧ ଦମ୍ପତିଙ୍କୁ ରୋଜଗାର ଦେଉଛି ପେପର ପ୍ଲେଟ୍ ବ୍ୟବସାୟ । ସଂଚିତ ଅର୍ଥରୁ କିଛି ବିନିଯୋଗ କରି ପେପର ପ୍ଳେଟ୍ ଓ ଗିନା ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି ବୃଦ୍ଧ ଦମ୍ପତି । ଅନ୍ୟ ଉପରେ ନିର୍ଭର ନକରି ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ମଙ୍ଗରାଜପୁର ଗାଁର ବଂଶୀଲାଲ ସ୍ୱାଇଁ । ବୟସ ପାଖାପାଖି ୭୨ ଛୁଇଁଲାଣି । ବୟସର ଅପରାହ୍ନରେ ହାର ନମାନି ପେପର ପ୍ଲେଟ୍ ପ୍ରସ୍ତୁତ କରୁଛନ୍ତି । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ସ୍ତ୍ରୀ ପ୍ରମିଳା ସ୍ୱାଇଁ ।

ବଂଶୀଲାଲ କାମ ଧନ୍ଦା ଆଶାରେ ଗାଁ ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ଏକ ଗ୍ୟାରେଜରେ କାମ କରୁଥିଲେ । କରୋନା ସମୟରେ କାମ ଧନ୍ଦା ହରାଇ ଗାଁକୁ ଫେରିଥିଲେ । ଦୀର୍ଘ ଦିନ ହେଲା ଘରେ ବସିବା ପରେ କିଛି ରୋଜଗାର କରିବା ଆଶାରେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ପେପର ପ୍ଲେଟ୍ ପ୍ରସ୍ତୁତ କରୁଛନ୍ତି ।

ପ୍ଲେଟ୍ ଓ ଗିନା ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା କଂଚାମାଲ କଟକରୁ ଆଣନ୍ତି ବଂଶୀ ଲାଲ । ତାଙ୍କ ୟୁନିଟରୁ ପ୍ରସ୍ତୁତ ହେଉଥିବା ଗିନା ଓ ପ୍ଲେଟ୍ ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ମାନେ କିଣିନେଉଛନ୍ତି । ଯାହାକିଛି ରୋଜଗାର ହେଉଛି ସେଥିରେ ଚଳୁଛନ୍ତି ବୃଦ୍ଧ ଦମ୍ପତି ।