ଲାବ୍ରୋଟରୀ ଆଟେନାଣ୍ଟରୁ ବରକୋଳି ଚାଷୀ: କଲିକତାରୁ ଚାରା ଆଣି ଏକ ଏକର ଜମିରେ ଲଗାଇଛନ୍ତି ୩ଶହ କୋଳି ଚାରା

1,778

କନକ ବ୍ୟୁରୋ: କଲେଜ ଲାବ୍ରୋଟରୀ ଆଟେନାଂଟରୁ କୋଳି ଚାଷୀ । ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଗଛରେ ଫଳିଛି କିଲୋ କିଲୋ ଓଜନର କୋଳି । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ । ସେଇଥି ପାଇଁ ତ ଏହି କୋଳି ଅନଗୁଳ ବଜାର ବ୍ୟତିତ ଅନ୍ୟ ଜିଲ୍ଲା ମାନଙ୍କରେ ଚାହିଦା ରହିଛି । ଅନଗୁଳ ବ୍ଲକ ବନ୍ଦାଣପଶି ଗାଁର କରୁଣାକର ସାହୁ ଏହି ଚାଷ କରିଛନ୍ତି ।

ପ୍ରଥମ ଥର ପାଇଁ କରୁଣାକର ଏହି ଚାଷ କରି ବେଶ ସଫଳତା ପାଇଁ ପାଇଛନ୍ତି । କରୁଣାକର ବନ୍ତଳା ଡିଗ୍ରୀ କଲେଜରେ ଲାବ୍ରୋଟରୀ ଆଟେନାଂଟ ଭାବେ ଜୁଲୋଜି ବିଭାଗରେ କାମ କରୁଛନ୍ତି । କିନ୍ତୁ ଏହି ଚାକିରିରୁ ମିଳୁଥିବା ସ୍ୱଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହେଉଛି । ଫଳରେ ନୂଆ କିଛି ଚାଷ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କରୁଣାକର କୋଳି ଚାଷ କରିଛନ୍ତି ।

ୟୁଟ୍ୟୁବରୁ ଚାଷ କରିବାର ପ୍ରଣାଳୀ ସମ୍ପର୍କରେ ସୂଚନା ପାଇ କୋଳି ଚାଷ କରିଛନ୍ତି କରୁଣାକର । ପଶ୍ଚିମବଙ୍ଗରୁ ୩ଶହ କୋଳି ଚାରା ଆଣି ଗତବର୍ଷ ମାର୍ଚ୍ଚ ମାସରେ ଏକ ଏକର ଜମିରେ ଚାରା ରୋପଣ କରିଥିଲେ । ଏଥିପାଇଁ ତାଙ୍କୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ତେବେ ଗଛରେ ସଠିକ୍ ସମୟରେ ଫଳ ଆସିଥିବାରୁ ସେ ପ୍ରାୟ ୨୦ କ୍ୱିଂଟାଲ କୋଳି ବିକ୍ରି କରିଥିବା କହିଛନ୍ତି କରୁଣାକର । ପ୍ରଥମ ବର୍ଷରେ ଖର୍ଚ୍ଚକୁ ବାଦ୍ ଦେଇ ସେ ୫୦ ହଜାର ଟଙ୍କା ଲାଭ ପାଇଥିବା କହିଛନ୍ତି ।

ଏହା ଏକ ଲାଭଜନକ ଚାଷ ହୋଇଥିବା ବେଳେ ଏହି ଚାଷକୁ ଆପଣାଇ ଚାଷୀ ଉପକୃତ ହୋଇପାରିବେ । ଆସନ୍ତାବର୍ଷ ଏହି କିସମର ଚାରା ବିକ୍ରି ପାଇଁ ଯୋଜନା ରଖିଛନ୍ତି କରୁଣାକର ।