ଏନଡିଏକୁ ଫେରିବେ ପୁରୁଣା ସହଯୋଗୀ ଦଳ ଟିଡିପି ଓ ଅକାଳି: ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟି ଆଲୋଚନା କଲେ ଚନ୍ଦ୍ରବାବୁ ନାୟୁଡୁ

232

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଂଟକୁ ଚେକ ଦେବା ପାଇଁ ମାପିଚୁପି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଅଧିକରୁ ଅଧିକ ଆଂଚଳିକ ଦଳ ସହ ମେଂଟ କରିବା ଉପରେ ତର୍ଜମା କରୁଛି ଦଳର କୋର ଟିମ୍ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ଦଳ ଟିଡିପି ଏବଂ ପଞ୍ଜାବର ଅକାଳି ଦଳ ସହ ମେଂଟ ପାଇଁ ଆଲୋଚନା ଚାଲିଛି । ମେଂଟ ଚର୍ଚ୍ଚା ଭିତରେ ଶୁକ୍ରବାର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାୟୁଡୁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଦୁଇ ଦିନ ଭିତରେ ମେଂଟ ନେଇ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଯଦି ମେଂଟ ହୁଏ ଆନ୍ଧ୍ରପଦେଶର ୨୫ ଲୋକସଭା ଆସନରୁ ବିଜେପି ଅତି କମରେ ୧୦ ଟି ଆସନରେ ପ୍ରାର୍ଥୀ ଦେଇପାରେ ।

୨୦୧୯ରେ ଏନଡିଏ ମେଂଟରୁ ଓହରି ଯାଇ୍ଥିବା ଚନ୍ଦ୍ରବାବୁ ନାୟୁଡୁ ୯ ବର୍ଷ ପରେ ପୁଣି ବିଜେପି ସହ ହାତ ମିଲାଇବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ଅଧିକାଂଶ ବିଲରେ ସଂସଦରେ ବିଜେପିକୁ ସମଥନ ଦେଉଥିବାରୁ ଟିଡିପି ସହ ମେଂଟ ନେଇ ଅଧିକ ତର୍ଜମା କରୁଛି ବିଜେପି ।

ପଞ୍ଜାବରେ ଆପ ଏବଂ କଂଗ୍ରେସକୁ ଟକ୍କର ଦେବା ପାଇଁ ସବୁଠୁ ପୁରୁଣା ସହଯୋଗୀ ଅକାଳୀ ଦଳ ସହ ମେଂଟ କରିପାରେ ବିଜେପି । ୨୦୨୦ରେ କୃଷି ବିଲକୁ ନେଇ ଏନଡିଏରୁ ଓହରି ଯାଇଥିଲା ଅକାଳୀ ଦଳ । ହେଲେ ପୁଣି ଥରେ ଅକାଳୀ ସହ ମେଂଟ କରି ଉଭୟ ହିନ୍ଦୁ ଓ ଶିଖ୍ ଭୋଟ ହାତେଇବାକୁ ବିଜେପି ଯୋଜନା କରୁଥିବା କୁହାଯାଉଛି । ଆସନ ଭାଗବଂଟା ନେଇ ଅକାଳୀ ଦଳର ମୁଖ୍ୟ ସୁଖବୀର ବାଦଲଙ୍କ ସହ ବିଜେପିର କେନ୍ଦ୍ରୀୟ ଟିମ୍ ଆଲୋଚନା କରୁଛନ୍ତି । ପଞ୍ଜାବର ୧୩ ଲୋକସଭା ଆସନରୁ ବିଜେପି ଏବଂ ଅକାଳୀ ଦଳ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ଯଦି ମେଂଟ ହୁଏ ଉଭୟ ଦଳ ଅଧିକ ଆସନ ଜିିତିବାର ସମ୍ଭାବନା ରହିଛି । କାରଣ ପଞ୍ଜାବରେ ଇଣ୍ଡିଆ ମେଂଟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ଆପ୍ ଏକାକି ଲଢିବା ନେଇ ଘୋଷଣା କରିସାରିଛନ୍ତି ।

ଆନ୍ଧ୍ରପଦେଶ, ପଞ୍ଜାବ ଏବଂ ଓଡ଼ିଶାରେ ଆଂଚଳିକ ଦଳ ସହ ମେଂଟ ପାଇଁ ଆସନ ଭାଗବଂଟା ଉପରେ ଆଲୋଚନା କରୁଛି ବିଜେପିର କୋର ଟିମ୍ । ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିବା ପୂର୍ବରୁ ମେଂଟ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।