କନକ ବ୍ୟୁରୋ: ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ପାଣି ବାଲଟିଏ ପାଇଁ ଘଂଟା ଘଂଟା ଧରି ଅପେକ୍ଷା । ଟ୍ୟାଙ୍କର ପାଣିକୁ ଭରସା । ପୁଣି ପାଣି ଲିଟର ଦର ବି ବଢ଼ିଚାଲିଛି । ଦେଶର କୌଣସି ପଛୁଆ ଅଂଚଳର ନୁହେଁ, ବରଂ ଦେଶର ଆଇଟି ହବ୍ ବେଙ୍ଗଲୁରୁରୁ ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ମାସ ତଳେ ପାଣି ଘେରରେ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଙ୍ଗଲୁରୁ ଏବେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛି । ଖରାଦିନ ଆରମ୍ଭରୁ ହିଁ ବେଙ୍ଗଲୁରୁ ପାଇଁ ଆସିଛି ସମସ୍ୟା । ସହରର ଅଧିକାଂଶ ସ୍ଥାନରେ ପାଣିର ଅଭାବକୁ ନେଇ ହାହା କାର । ଗଳିକନ୍ଦିଠୁ ନେଇ ବଡ ବଡ ବିଲଡିଂର ଟ୍ୟାପରୁ ଆସୁନି ପାଣି । ପାନୀୟଜଳ ଅଭାବରେ ମଧ୍ୟ ହନ୍ତସନ୍ତ ଲୋକେ । ଖାଲି ସାଧାରଣ ଲୋକ ନୁହଁନ୍ତି ନେତା,ମନ୍ତ୍ରୀ ମଧ୍ୟ ଏବେ ପାଣି ଅଭାବ ଦେଇ ଗତି କରୁଛନ୍ତି । ସରକାରଙ୍କ ଦ୍ୱାରା ପାଣି ଟ୍ୟାଙ୍କରେ ପାନୀୟ ଜଳ ଯୋଗାଯାଉଛି । ଟ୍ୟାଙ୍କରରୁ ପାଣି ନେବାକୁ ସହରବାସୀଙ୍କ ଲମ୍ବା ଭିଡ଼ ଲାଗୁଛି । ହେଲେ ଏହି ପାଣି ସହରବାସୀଙ୍କ ଆବଶ୍ୟକତା ପୂରଣ କରିବାକୁ ଖୁବ୍ କମ୍ ପଡ଼ୁଛି ।
ବେଙ୍ଗଲୁରୁ ସହର ପାଇଁ ଦିନକୁ ୨୬ ଶହରୁ ୨୮ ଶହ ମିଲିୟନ ଲିଟର ଆବଶ୍ୟକତା ପଡ଼େ । ହେଲେ ଏବେ ୧୫ଶହରୁ ଅଧିକ ମିଲିୟନ ଲିଟର ଅଭାବ ପଡ଼ୁଛି । ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ଏହି ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ । ସ୍ଥିତିର ମୁକାବିଲା ପାଇଁ କର୍ଣ୍ଣାଟକ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ସ୍ୱତନ୍ତ୍ର ହେଲପଲାଇନ ଓ କଂଟ୍ରୋଲ ରୁମ୍ ଲୋକଙ୍କ ପାଇଁ ଖୋଲାଯାଇଛି । ଏହାସହ ସ୍ଥାନୀୟ ବିଧାୟକଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ପାଣି ଅଭାବକୁ ନେଇ ପାଣି ଟ୍ୟାଙ୍କର ଦାମ୍ ମଧ୍ୟ ବଢ଼ିଚାଲିଛି । ୨୦୦ ଘରୋଇ ଟ୍ୟାଙ୍କର ପାଣି ଯୋଗାଉଛି । ଆଗରୁ ଯେଉଁ ଟ୍ୟାଙ୍କର ଏକ ହଜାର ଟଙ୍କାରେ ମିଳୁଥିଲା, ତାହା ଏବେ ୨ ହଜାର ଟଙ୍କାରେ ପହଂଚିଛି ।
ସ୍ଥିତି ଦେଖି ପାଣିର ଅପବ୍ୟହାର ନକରିବାକୁ କୁହାଯାଇଛି । ଏପରିକି ପାଣିର ଅପବ୍ୟବହାର ପ୍ରମାଣିତ ହେଲେ ଜରିମାନା ଲଗାଯିବାର ବ୍ୟବସ୍ଥା କରାଯାଇଛି । କିଛି ହାଉସିଂ ସୋସାଇଟି ଉପରେ ଜରିମାନା ଲଗାଯାଇଥିବାର ଖବର ମିଳିଛି ।