ବାହାଘର ପାଇଁ ଗାଇଡଲାଇନ : ବରଯାତ୍ରୀ ଓ ବାହାଘରରେ କେତେ ଲୋକଙ୍କୁ ସାମିଲ ପାଇଁ ମିଳିବ ଅନୁମତି ?

194

କନକ ବ୍ୟୁରୋ : ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଡିସେମ୍ବର ୩୦ରେ ଜାନୁଆରି ମାସ ପାଇଁ କୋଭିଡ ଗାଇଡଲାଇନ୍ ଜାରି ହୋଇଥିଲା । କିନ୍ତୁ ଚଳିତ ସପ୍ତାହରେ ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏବଂ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ଟପିବାରୁ ପୁଣି କଡ଼ା ଗାଇଡଲାଇନ୍ ଜାରି କରାଯାଇଛି । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ଆଦିରେ ପୂର୍ବରୁ ୨୫୦ ଜଣଙ୍କୁ ଅନୁମତି ଦିଆଯାଉଥିବା ବେଳେ ବିବାହରେ ଏବେ ୧୦୦ ଜଣଙ୍କୁ ଅନୁମତି ଦିଆଯିବ । ବରଯାତ୍ରୀ ପାଇଁ ସର୍ବାଧିକ ୩୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯିବ ।

ଯେପରି କୌଣସି ସ୍ଥାନରେ ଜନଗହଳି ହେବନି ତାହାକୁ ନଜରରେ ରଖି କଟକଣା ଲଗାଯାଇଛି । ଏଥିରେ ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍‌, ଦୋକାନ ଆଦିକୁ ‌କେବଳ ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ପ୍ରବେଶ କରାଇବାକୁ କୁହାଯାଇଛି । କୌଣସି ସ୍ଥାନରେ ୧୦୦ ବର୍ଗଫୁଟ ଭିତରେ ୪ ଜଣରୁ ଅଧିକ ଲୋକ ରହିବେନି, ଫୁଡ୍‌କୋର୍ଟ କି ଫୁଡ୍‌ ପ୍ଲାଜାରେ କେବଳ ଟେକ୍‌ ଆୱେ ସୁବିଧା ଉପଲବ୍ଧ ହେବ, କୌଣସି ମଲ୍‌ ପରିସରରେ କେହି ଖାଦ୍ୟ ଖାଇପାରିବେନି, ମଲ୍‌ ଓ ସପିଂ ମଲ୍‌ ଯେପରି ଅଧିକ ଗହଳି ହେବନି ତାହା ମଲ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ଯଦି କୌଣସି ମଲ୍‌, ମାର୍କେଟ୍ କମ୍ପ୍ଲେକ୍ସ, ଦୋକାନରେ ଅଧିକ ଗହଳି ହୁଏ ତେବେ ତାହାକୁ ଅଧିକ ଜରିମାନା ସହ ଅତି କମ୍‌ରେ ୭ଦିନ ଯାଏଁ ସିଲ୍‌ କରିବାକୁ କୁହାଯାଇଛି । ଏହା ସହ ରାତି ୯ଟା ପୂର୍ବରୁ ସବୁ ମାର୍କେଟ, ହାଟ, ସିନେମା ହଲ୍‌, ସୁଇମିଂ ପୁଲ୍‌, ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର୍, ଅଡିଟୋରିୟମ୍, ସଭା ଗୃହ ଏବଂ ଏହିଭଳି ସ୍ଥାନଗୁଡ଼ିକ ବନ୍ଦ ହେବ ।

କୌଣସି ସାମାଜିକ, ଧାର୍ମିକ ସମାବେଶ ହୋଇପାରିବନି। ରାଜନୈତିକ, କ୍ରୀଡ଼ା, ଏକାଡେମିକ ସମାବେଶ କେବଳ ୧୦୦ଜଣ ଲୋକଙ୍କୁ ନେଇ କରିହେବ । ଆବଦ୍ଧ ସ୍ଥାନରେ ମୋଟ୍ କ୍ଷମତାର ୫୦% ଲୋକଙ୍କୁ ଅନୁମତି ମିଳିବ । ତାହା ବି ୧୦୦ରୁ କମ୍‌ ହେଉଥିବା ଦରକାର । ଯଦି ନିର୍ବାଚନ ତାରିଖ ଘୋଷଣା ହୁଏ ତେବେ ରାଜନୈତିକ ସମାବେଶ, ସଭା, ଶୋଭାଯାତ୍ରା ଆଦି ସର୍ବାଧିକ ୧୦୦ଜଣଙ୍କୁ ନେଇ ହେବ । କୌଣସି ମେଳା, ପ୍ରଦର୍ଶନୀ ହୋଇପାରିବନି । ହାଟ, ବଜାର, ମାଛ ହାଟ ଆଦିକୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିବା ସହ ପ୍ରତି ୩୦ ଫୁଟରେ ଜଣେ ଲେଖାଏଁ ବ୍ୟବସାୟୀଙ୍କୁ ବସାଇବାକୁ କୁହାଯାଇଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଜାଗା ଚିହ୍ନଟ କରିବାକୁ କୁହାଯାଇଛି । ହୋଟେଲ, ରେସ୍ତୋରାଁ, ବାର୍‌, ପବ୍‌ ଆଦି ୫୦% ଗ୍ରାହକଙ୍କୁ ନେଇ ଚାଲିବ। ଜିମ୍, ସ୍ପା, ବିୟୁଟି ପାର୍ଲର, ସେଲୁନ୍ ଆଦି କୋଭିଡ କଟକଣା ମାନି ଖୋଲିବାକୁ କୁହାଯାଇଛି। ନିୟମ ନମାନିଲେ ଜରିମାନା ସହ ୭ଦିନ ପାଇଁ ସିଲ୍‌ କରାଯିବ ।