କରୋନାର ନୂଆ ଗାଇଡଲାଇନ : ରାତି ୯ରୁ ନାଇଟ୍‌ କର୍ଫ୍ୟୁ; ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ ?

297

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ିବା ପରେ ସରକାର ବୁଧବାର ଦିନ ପୁଣି କଟକଣା କଡ଼ାକଡ଼ି କରିଛନ୍ତି। ସବୁ ସହରାଞ୍ଚଳରେ ଏବେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ହେଉଥିବା ବେଳେ ଏହାକୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ଏହାସହ ସବୁ ଦୋକାନ ବଜାର, ହଲ୍‌, ମଲ୍‌, ସମ୍ମିଳନୀ କକ୍ଷ ରାତି ୯ଟା ଭିତରେ ବନ୍ଦ ହେବ। ଏହି ନୂଆ ଗାଇଡଲାଇନ ଆସନ୍ତା ୭ ତାରିଖରୁ ଲାଗୁ ହେବ ।

ସେହିପରି ମ୍ୟାଟ୍ରିକ ଆସେସମେଂଟ ପରୀକ୍ଷା ପରେ ରାଜ୍ୟର ସ୍କୁଲ କଲେଜ ଗୁଡ଼ିକ ବନ୍ଦ ରହିବ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଏହା ସହ ଅଫିସ୍, ସିନେମା ହଲ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଦୋକାନୀ ଓ ମଲ ମାଲିକଙ୍କ ସରକାରଙ୍କ କଡ଼ା ନିର୍ଦ୍ଦେଶ, ଯେପରି ସେଠାରେ ଗହଳି ହେବ ନାହିଁ । ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ମଲ୍ ମାଲିକ ଓ ଦୋକାନୀଙ୍କ ରହିବ, ଆଉ ଯଦି ଏହା ଉଲଂଘନ ହୁଏ, ତାହେଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପିକନିକ ସ୍ପଟରେ ଭୋଜିକୁ ବାରଣ କରାଯାଇଛି, କଲ୍ୟାଣ ମଣ୍ଡପରେ କୌଣସି ସାଂସ୍କୃତି କାର୍ଯ୍ୟକ୍ରମ ହେବ ନାହିଁ । ସମସ୍ତ ସାମାଜିକ ଓ ଧାର୍ମିକ ସମାବେଶ ଉପରେ କଟକଣା । କ୍ରୀଡ଼ା, ଶିକ୍ଷା ଓ ରାଜନୈତିକ କାର୍ଯ୍ୟକ୍ରମ ଓ ସମାବେଶ ସର୍ବାଧିକ ଶହେ ଜଣକୁ ନେଇ ହୋଇପାରିବ । ହେଲେ ଏଥିପାଇଁ କେତେକ ସର୍ତ ରଖାଯାଇଛି । ଆବଦ୍ଧ ଜାଗାରେ ଏହି କାର୍ଯ୍ୟକ୍ରମ ହେଉଥିଲେ ପୂର୍ଣ୍ଣ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ । ଏହାସହ ଜିଲ୍ଲା ପ୍ରଶାସନ ପାଖରୁ ଆଗରୁ ଅନୁମତି ନେବାକୁ ପଡ଼ିବ । ପ୍ରଦର୍ଶନୀ ଓ ମେଳା ହୋଇପାରିବ ନାହିଁ । ହୋଟେଲ, ରେଷ୍ଟୁରାଂଟ, ଢାବା, ବାର୍, ପବ୍ ଚାଲିପାରିବ, ହେଲେ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଅଡିଟୋରିମ ଅଧା କ୍ଷମତାରେ ଚାଲିବ ।

ଜିମ୍, ସ୍ପା, ବିୟୁଟି ପାଲର, ସେଲୁନ ଚାଲିପାରିବ, ହେଲେ କୋଭିଡ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ । ନହେଲେ ୭ଦିନ ଯାଏଁ ସିଲ୍ କରିଦେଇପାରେ ପ୍ରଶାସନ । ଯାତ୍ରୀ ପରିବହନ ଗାଡ଼ିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ ଗାଇଡ ଲାଇନ କଡ଼ାକଡ଼ି କରାଯିବ । ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହାସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଯେପରି ସମସ୍ତେ ଟିକାର ଦୁଇଟି ଯାକ ଡୋଜ୍ ନେବେ, ସେନେଇ ପ୍ରୟାସ ତ୍ୱରାନ୍ୱିତ କରାଯିବ ।