ପୋଷ୍ଟାଲ ଚାକିରି ଆବେଦନକାରୀଙ୍କ ଜାଲ୍ ସାର୍ଟିଫିକେଟ୍ ଘଟଣା : ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଲା ଡାକ ବିଭାଗ

149

କନକ ବ୍ୟୁରୋ : ପୋଷ୍ଟାଲ ଚାକିରି ଆବେଦନକାରୀଙ୍କ ଜାଲ୍ ସାର୍ଟିଫିକେଟ୍ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଲା ଡାକ ବିଭାଗ । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଡାକ ବିଭାଗ ସିବିଆଇକୁ ତଦନ୍ତ ପାଇଁ ଚିଠି ଲେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେଉଁ ପରିସ୍ଥିତିରେ ବିଭାଗ ସିବିଆଇକୁ ଚିଠି ଲେଖିଛି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ମନୋଜ, ଆଲୋକ ସମେତ ୪ ଜଣଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରି କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ହାତେଇଛି ।

ଏହାରି ଭିତରେ ଡାକ ବିଭାଗ ହଠାତ୍ ସିବିଆଇକୁ ଚିଠି ଲେଖିବାକୁ ନେଇ ବିଭାଗରେ ମଧ୍ୟ ଭାଳେଣି ପଡ଼ିଛି । ବିଭାଗର ପୋଷ୍ଟମାଷ୍ଟର, ଡେପୁଟି ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟକୁ ଯାଞ୍ଚ କରାଯିବା ନେଇ ଚର୍ଚ୍ଚା ହେଉଛି । ଗ୍ରାମୀଣ ଡାକ ସେବା ନିଯୁକ୍ତି ପାଇଁ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ବେଳେ ଅନେକ ସାର୍ଟିଫିକେଟ୍ ଜାଲ୍ ଥିବା ଜଣାପଡ଼ିଥିଲା । ଏ ନେଇ ଆଶାୟୀଙ୍କ ବିରୋଧରେ ଗତ ମାର୍ଚ୍ଚ ୧୭ ତାରିଖରେ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ଏହି ଘଟଣାରେ ୧୯ ଜଣଙ୍କୁ ଗିରଫ କରିଥିଲା । ଧୀରେ ଧୀରେ ଏହାର ଚେର ସାରା ରାଜ୍ୟକୁ ଲମ୍ବିଥିବା ଜଣାପଡ଼ିଥିଲା ।