ଓଡ଼ିଶାକୁ ବଢୁଛି ବାତ୍ୟା ଆଶଙ୍କା : ଆଜି ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ୭ ଜିଲ୍ଲାକୁ ଆଲର୍ଟ ଜାରି 

332

କନକ ବ୍ୟୁରୋ : କେଉଁଠି ମାଡ଼ ହେବ ବାତ୍ୟା ସିତ୍ରାଙ୍ଗ । ଆଇଏମଡି-ଜିଏଫ୍ଏସ୍ ମଡେଲର ପୂର୍ବାନୁମାନ ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ । ୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ ।

୨୨ ତାରିଖରେ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବ । ବାତ୍ୟା ପାଇଁ ବାତାବରଣ ଅନୁକୂଳ ରହିଥିବା ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାକୁ ସତର୍କ କରାଯାଇଛି । ହେଲେ ସିଏମଡବ୍ଲ୍ୟୁଏଫ୍ ମଡେଲର ଆକଳନ ଅନୁସାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ କରିବା ନେଇ ଏହି ମଡେଲ କହିଛି । ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତି ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇଥିଲେ ବି ବିଭିନ୍ନ ମଡେଲ ଏହାକୁ ନେଇ ପୂର୍ବାନୁମାନ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗର ନଜର ସମସ୍ତ ମଡେଲ ଉପରେ ରହିଛି ।

ପ୍ରତ୍ୟେକ ମଡେଲକୁ ବିଶ୍ଳେଷଣ କରୁଛି ଆଇଏମଡି । ୨୨ ତାରିଖରୁ ଓଡ଼ିଶା ଉପକୂଳ ସମୁଦ୍ରର ଆଖପାଖ ଅଞ୍ଚଳକୁ ନଯିବା ପାଇଁ କୁହାଯାଇଛି । ଷ୍ଟିୟରିଂ କରେଣ୍ଟ, ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହା ହିଁ ବାତ୍ୟାର ଗତିପଥ, ତୀବ୍ରତା ନିର୍ଦ୍ଧାରଣ କରିଥାଏ । ଏପରିକି ବାତ୍ୟାର ମୋଡ଼ ବଦଳିବା ସମ୍ଭାବନା ମଧ୍ୟ ବଢ଼ିଥାଏ । ତେଣୁ ସମ୍ଭାବ୍ୟ ବାତ୍ୟା ରି-କର୍ଭ କରିବା ଆଶଙ୍କା ରହିଛି । ୨୩ ତାରିଖରୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ଆଶଙ୍କା ରହିଛି । ତେବେ ଲଘୁଚାପ ହେବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ ।

ଏପଟେ ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଏହି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଯଦି କୌଣସି ପ୍ରକାର କ୍ଷୟକ୍ଷତି ହୁଏ ତେବେ ବିଭାଗ ତରଫରୁ ତାହାକୁ ତତ୍‌କ୍ଷଣାତ୍‌ ମରାମତି କରାଯାଇ ସ୍ୱାଭାବିକ କରିବାକୁ କୁହାଯାଇଛି ।