ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ସାମିଲ ହେଲାନି ଓଡ଼ିଶା : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ଟି ପ୍ରସଙ୍ଗରେ ଆଲୋଚନା

350

କନକ ବ୍ୟୁରୋ : ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ଯୋଗ ଦେଇନି ଓଡିଶା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି । ସୂଚନା ଅନୁସାରେ ଏହି ଗୁରୁତ୍ୱପୂର୍ଣ୍ଣ ମିଟିଂରେ କେବଳ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର ନିୟମ ଥିଲା । ହେଲେ, କୌଣସି କାରଣ ବଶତଃ ନବୀନ ବୈଠକରେ ଯୋଗ ଦେଇନାହାନ୍ତି । କିନ୍ତୁ ନବୀନ ବୈଠକରେ କାହିଁକି ଯୋଗ ଦେଇନାହାନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ନବୀନ ନିତି ଆୟୋଗ ବୈଠକରେ ଯୋଗ ନଦେବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିତି ଆୟୋଗ ବୈଠକରେ ବିରୋଧୀ ଦଳର ଶାସନରେ ଥିବା ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇନାହାନ୍ତି । ଆଉ ଏତିକିବେଳେ ନବୀନ ବି ବୈଠକରେ ସାମିଲ ନହେବା ଆଲୋଚନାର ବିଷୟ ହୋଇଛି ।

ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ବୈଠକ ଚାଲିଛି । ବୈଠକରେ ୮ଟି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ୨୦୪୭ର ବିକଶିତ ଭାରତ, ଏମଏସଏମଇ, ପୁଞ୍ଜି ନିବେଶ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ବୈଠକରେ ଓଡ଼ିଶା ବ୍ୟତିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ. ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ମଧ୍ୟ ଯୋଗ ଦେଇନାହାନ୍ତି ।