ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ

287

କନକ ବ୍ୟୁରୋ: ଦିଲ୍ଲୀ, ମୁମ୍ବାଇ ଭଳି ଆମ ରାଜ୍ୟରେ ବି ଗଡିବ ମେଟ୍ରୋ ଟ୍ରେନ୍ । ଓଡିଶାରେ ମେଟ୍ରୋ ଟ୍ରେନ୍ ଚଳାଇବେ ରାଜ୍ୟ ସରକାର । ଏଥିପାଇଁ ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ନବୀନ ।

  • ଓଡିଶାରେ ଗଡି଼ବ ମେଟ୍ରୋ ଟ୍ରେନ୍
  • ପ୍ରସ୍ତାବକୁ ନବୀନଙ୍କ ଅନୁମୋଦନ

ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ନବୀନ । ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ନୂଆ ଓଡିଶା ଗଠନରେ ଏହା ଆଉ ଗୋଟିଏ ପାଦ ।

ବାଣିଜ୍ୟ, ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା, ଡିପିଆର ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ବିମାନବନ୍ଦର ଛକରୁ, ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ବାଣୀବିହାର ଛକ, ଜୟଦେବ ବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ,ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ । ଏଥିପାଇଁ ଏଲିଭେଟ୍ କରିଡର ପ୍ରସ୍ତୁତ କରାଯିବ । ପରବର୍ତ୍ତି ସମୟରେ ଭୁବନେଶ୍ୱରରୁ-ପୁରୀ, ଭୁବନେଶ୍ୱରରୁ- ଖୋର୍ଦ୍ଧାକୁ ମେଟ୍ରୋ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

  • ଟୁଇନ ସିଟିରେ ଚାଲିବ ମେଟ୍ରୋ
  • ଯୋଡି ହେବ ପୁରୀ ଓ ଖୋର୍ଦ୍ଧା

ମେଟ୍ରୋ ପ୍ରୋଜେକ୍ଟ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ, ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ । ମେଟ୍ରୋ ଚଳାଚଳ ହେଲେ କେଉଁଠି କି ପ୍ରକାର ଅସୁବିଧା ହେବ, ତାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ପଡିବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ, ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ, ସେ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ।ତେବେ ସମୀକ୍ଷା କରିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଅଗଷ୍ଟ ୧୫ତାରିଖରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ତାପରେ ଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ମେଟ୍ରୋ ଟ୍ରେନ୍ ନେଇ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଶ୍ରେୟ ନେବାକୁ ଆରମ୍ଭ ହୋଇଛି ଉଦ୍ୟମ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟୁଇଟ୍ କରି, ଲେଖିଛନ୍ତି, ସେ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଅତି ପାଖରୁ ଏହା ଉପରେ ନଜର ରଖିଥିଲି । ପ୍ରକଳ୍ପକୁ ଅନୁମୋଦନ ମିଳିଥିବାରୁ ଶୁଭେଛା । ତେବେ ରାଜ୍ୟ ସରକାରଙ୍କ କହିବା କଥା ଅଲଗା ଓ କାମ କରିବା କଥା ଅଲଗା ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କର କଣ ଯୋଜନା ରହିଛି, ସେ ନେଇ ସଂସଦରେ ପ୍ରଶ୍ନ କରିଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ତାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଥିଲେ, ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାର ସର୍ଭେ କରି, ପ୍ରକଳ୍ପ କଲେ କେନ୍ଦ୍ର ଆର୍ଥିକ ସହାୟତା ଦେବ । ତେବେ ଓଡିଶାରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ୨୦୧୯ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ ବିଜେପି ଓ ବିଜେଡି । ପୁଣି ଏକ ନିର୍ବାଚନ ଆସିବା ପୂର୍ବରୁ କାମ ଆରମ୍ଭ ହେବାକୁ ଯାଉଛି । ତେଣୁ କେବେ ଓଡିଶାରେ ମେଟ୍ରୋ ଟ୍ରେନ୍ ଗଡିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।