କମି ଯାଉଛି କି ଓଡିଆ ପାରମ୍ପରିକ ଖାଦ୍ୟର ଚାହିଦା? ଓଡିଆ ଲୋକଙ୍କ ପସନ୍ଦ ପାଲଟିଛି ବିରିୟାନୀ, ଚାଓମିନ, ପିଜା

281

କନକ ବ୍ୟୁରୋ: ଉକ୍ରଳ ଦିବସ ଅବସରରେ ଆମେ ଓଡିଆ ବୋଲି ଗର୍ବ କରୁ । ଗର୍ବ କରୁ ଆମ ଭାଷାକୁ ନେଇ । କଳା, ସଂସ୍କୃତି, ଐତିହ୍ୟ ପରଂପରାକୁ ନେଇ । ଆମର ଯାନିଯାତ, ପୁନେଇ ପରବ, ପିଠା ପଣାର ମହକ ବି ନିଆରା । ନିଆରା ଆମର ଖାଦ୍ୟ ପେୟ । ହେଲେ, ସମୟ ଚକ୍ରରେ ଆଧୁନିକତା ଯେତିକି ଆମ ଜୀବନକୁ ଧସେଇ ପଶିଛି, ଆମ ଖାଦ୍ୟ ପ୍ରଣାଳୀକୁ ବି ସେତିକି ପ୍ରଭାବିତ କରିଛି । ପିଢା ଆଉ କଦଳୀପତ୍ରର ଯାଗା ନେଇସାରିଛି ଡାଇନିଂ ଟେବୁଲ । ଆଉ ତା ଉପରେ ମୁଖ୍ୟ ମେନ୍ୟୁରେ ପିଜା, ବର୍ଗର, ରୋଲ୍, ଚାଓମିନ୍ ଆଉ ପକୋଡା । ଗାଁ ଗାଁର ଛକ ଯାଗାରେ ଫାଷ୍ଟ ଫୁଡ୍ ଷ୍ଟଲ । ଦେହକୁ ସୁହାଉ କି ନ ସୁହାଉ । ପାଟିକୁ ଭଲ ଲାଗୁଛି, ତେଣୁ ଗହଳି ହେଉଛି, ଦୋକାନ ବଢୁଛି ଆଉ ବେପାର ବି ଜମୁଛିି ।

ଓଡି଼ଆ ଖାଦ୍ୟ                  ଲୋକଙ୍କ ପସନ୍ଦ
ଖେଚୁଡି଼                         ବିରିଆନି
ଚକୁଳି                           ପିଜା
କାଞ୍ଜି                             ସୁପ୍
ଚୁଡ଼ା, ଛତୁଆ                  ଚାଓମିନ୍, ନୁଡୁଲ୍ସ
ରୁଟି, ପରଟା                  ବ୍ରେଡ୍, ସାଣ୍ଡୱିଚ୍
ପୋଡ଼ ପିଠା                    କେକ୍
ମଣ୍ଡା ପିଠା                      ମୋମୋ

ବ୍ୟବସାୟୀଙ୍କ କହିବା ହେଲା ରାଜଧାନୀ ଭୁବନେଶ୍ୱରରେ ଖାଇବା ଦୋକାନଟିଏ ଖୋଲିବାକୁ ହେଲେ ପ୍ରଥମେ ବିରିଆନୀ କିମ୍ବା ଫାଷ୍ଟଫୁଡ କଥା ଚିନ୍ତା କରାଯାଇପାରେ । କାରଣ ପାରମ୍ପରିକ ଓଡିଆ ଖାଦ୍ୟ ଅପେକ୍ଷା ଲୋକଙ୍କ ପସନ୍ଦ ଫାଷ୍ଟଫୁଡ୍ । ରାସ୍ତା କଡରେ ଓଡିଆ ଘରର ଖାଦ୍ୟ ପଖାଳ କରି ବିକିବା ସମ୍ଭବ ନୁହେଁ । ବରଂ ବିରିଆନୀ ହଣ୍ଡାଟିଏ ଧରି ବସିଲେ ଦିନ ୩ଟା ଭିତରେ ଶେଷ । ତେଣୁ ଧିରେ ଧିରେ ଏହିସବୁ ଅଣଓଡିଆ ଖାଦ୍ୟର ଚାହିଦା ବଢୁଛି । ବିରିଆନି, ଚାଓମିନ୍ ଓ ରୋଲ ଭଳି ଖାଦ୍ୟ ପ୍ରସ୍ତୁତି ପାଇଁ ସମୟ କମ୍ ଲାଗୁଥିବାବେଳେ ପାରମ୍ପରିକ ଓଡିଆ ଖାଦ୍ୟ ପାଇଁ ସମୟ ଓ ଖର୍ଚ୍ଚ ଅଧିକ ବୋଲି ବ୍ୟବସାୟୀଙ୍କ ମତ ।

କିଛି କିଛି ସ୍ଥାନରେ ହଜି ଯାଉଥିବା ପାରମ୍ପରିକ ଖାଦ୍ୟକୁ ବଂଚେଇ ରଖିବା ପାଇଁ କେବଳ ଉକ୍ରଳ ଦିବସରେ ପ୍ରୟାସ ଚାଲିଛି । ବାଲେଶ୍ୱର ଜିଲ୍ଲାର ଜଉ କଣ୍ଢେଇ ମହିଳା କାରିଗର ୩୦ରୁ ଅଧିକ ପାରମ୍ପରିକ ଓଡିଆ ଖାଦ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟକୁ ଖୁଆଇଛନ୍ତି ।

ମାର୍ଚ୍ଚ ୨୦ରେ ପଖାଳ ଦିବସ କିମ୍ବା ରଜରେ ପୋଡ ପିଠା ପ୍ରତିଯୋଗିତା କରି କେତେକ ସଂଗଠନ କେବଳ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ ଚଳାଇଛନ୍ତି । ହେଲେ ପାଟିକୁ ସୁଆଦିଆ ଲାଗୁଥିବା ଓ ସହଜରେ ଉପଲବ୍ଧ ହେଉଥିବା ଫାଷ୍ଟଫୁଡ ସହରରୁ ଗାଁ ଗହଳି ଯାଏଁ ମାଡି ମାଡି ଚାଲିଛି ।