ପରିବା ଦରବୃଦ୍ଧିକୁ ଛାତ୍ର କଂଗ୍ରେସର ବିରୋଧ,ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ

162

କନକ ବ୍ୟୁରୋ : ପରିବା ହାଟରେ ପରିବା ଏତେ ମହଙ୍ଗା ଯେ କିଣିବା ପୂର୍ବରୁ ଶହେଥର ଭାବିବାକୁ ପଡୁଛି । ହେଲେ ରାଜନୈତିକ ହାଟରେ ପରିବା ଏବେ ବହୁତ ଶସ୍ତା ହୋଇଯାଇଛି । ସାଧାରଣ ଲୋକଟିଏ ପାଇଁ କିଛିଦିନ ହେବ ପରିବା ସାତ ସ୍ୱପ୍ନ ହୋଇଯାଇଥିବା ବେଳେ ରାଜନୈତିକ ଦଳର କର୍ମୀମାନେ କେଉଁଠି ବେକରେ ପରିବା ମାଳ ପିନ୍ଧି ପ୍ରତିବାଦ କରୁଛନ୍ତି ତ କେଉଁଠି ଲୋକଙ୍କୁ ଶସ୍ତାରେ ପରିବା ବିକ୍ରି କରି ପ୍ରତିବାଦ କରୁଛନ୍ତି । ଏହି କ୍ରମରେ ଆଜି ଛାତ୍ର କଂଗ୍ରେସ ତରଫରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଘର ଆଗରେ ପରିବା ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ଛାତ୍ର କଂଗ୍ରେସର ଶହ ଶହ କର୍ମୀ ଏକ ରାଲି କରି ମନ୍ତ୍ରୀଙ୍କ ବାସଭବନ ଆଗରେ ପହଂଚିବା ପରେ ସେଠାରେ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ କରି ପ୍ରତିବାଦ କରିଛନ୍ତି ।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି କି ରାଜ୍ୟ ସରକାର ବଜାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କିଛି କରିନାହଁନ୍ତି । ଚାଷୀଙ୍କ ମାଗଣାରେ ବିହନ ଯୋଗାଇବାରେ ରାଜ୍ୟ ସରକାର ବିଫଳ । ଚାଷୀ ଋଣଯନ୍ତାରେ ପଡି ହନ୍ତସନ୍ତ ହେଉଥିବା ବେଳେ ସରକାର ସେମାନଙ୍କ ଋଣ ଛାଡ କଲେ ନାହିଁ । ରାଜ୍ୟ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୫୦ଟି ନୂଆ ଶୀତଳଭଣ୍ଡାର କରିବାର ପ୍ରତିଶ୍ରୁତି ଦେଇ ଗୋଟିଏ ବି ଶୀତଳ ଭଣ୍ଡାର ଖୋଲି ନଥିବା କଥା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ସେପଟେ ରାଜ୍ୟରେ ପୂର୍ବରୁ ଥିବା ୧୩୨ ଟି ଶୀତଳ ଭଣ୍ଡାର ମଧ୍ୟରୁ ୮୨ ଶୀତଳ ଭଣ୍ଡାର ବନ୍ଦ ହୋଇସାରିଛି ବୋଲି ତଥ୍ୟ ରଖିଛି ଛାତ୍ର କଂଗ୍ରେସ ।

ସେପଟେ ଆଜି ଯେଉଁ ପରିବା ମହଙ୍ଗା ଦାମରେ ବିକ୍ରି ହେଉଛି ତାହାର ଲାଭ ଚାଷୀ ପାଇପାରୁ ନାହିଁ । ଚାଷୀ ପାଖରେ ଶୀତଳଭଣ୍ଡାରର ସୁବିଧା ନଥିବାରୁ ଅମଳ ବେଳେ ଶୀତଳଭଣ୍ଡାର ମାଲିକମାନେ ଚାଷୀମାନଙ୍କ ଠାରୁ ଶସ୍ତାରେ ପରିବା କିଣି ଏବେ ତାକୁ ଚଢା ଦାମରେ ବିକ୍ରି କରୁଛନ୍ତି ।