ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ଶରଦ ପାୱାରଙ୍କୁ ହଟେଇ ଅଜିତ ପାୱାର ନୂଆ ଏନସିପି ଅଧ୍ୟକ୍ଷ । ପଢନ୍ତୁ, କଣ କହିଲେ ଶରଦ ପାୱାର?

556

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୀତିର ମହାନାଟକ । ଉଭୟ ଅଜିତ୍ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ ନିଜକୁ ଏନସିପି ବୋଲି ଦାବି କରୁଥିବାବେଳେ, ସେମାନଙ୍କ ଭିତରୁ କିଏ ଏନସିପି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ଏହାରି ଭିତରେ ଉଭୟ ଗୋଷ୍ଠୀ ଆଜି ନିଜର ନିଜର ବୈଠକ ଡାକିଛନ୍ତି । ଯେଉଁଥିରେ ଅଜିତ ପାୱାରଙ୍କ ବୈଠକରେ ୩୧ ବିଧାୟକ ଏବଂ ୪ ଏମଏଲସି ଯୋଗ ଦେଇଥିବାବେଳେ, ଶରଦ ପାୱାରଙ୍କ ବୈଠକରେ ମାତ୍ର ୧୩ ବିଧାୟକ ସାମିଲ ହେଇଛନ୍ତି । ତେବେ ୯ ଜଣ ବିଧାୟକ କୌଣସି ବି ବୈଠକରେ ସାମିଲ ହେଇନାହାଁନ୍ତି ।

ଏହାରି ଭିତରେ କିନ୍ତୁ ଅଜିତ ପାୱାରଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶରଦ ପାୱାରଙ୍କ ଜାଗାରେ ଅଜିତ ପାୱାରଙ୍କୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ ପଟେଲ ଆଜି ଏହି ବୈଠକ ଡାକିଥିଲେ । ଯେଉଁ ବୈଠକରେ ଅଜିତଙ୍କୁ ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ପାରିତ ହେଇଛି । ଅନ୍ୟପଟେ ନିର୍ବାଚନ ଆୟୋଗରେ ମଧ୍ୟ ଅଜିତଙ୍କ ଗୋଷ୍ଠୀ ଏନେଇ ସୂଚନା ଦେଇଛି । ଯେଉଁଥିରେ ଜୁନ୍ ୩୦ରେ ମୁମ୍ବାଇରେ ହେଇଥିବା କାର୍ଯ୍ୟକାରିଣୀ ବୈଠକରେ ଅଜିତ ପାୱାରଙ୍କୁ ଏନସିପି ଅଧ୍ୟକ୍ଷ ଚୟନ କରାଯାଇଥିବା କୁହାଯାଇଛି ।

ସେପଟେ ଶରଦ ପାୱାର ନିଜ ବୈଠକରେ କହିଛନ୍ତି ଯେ, ଯେଉଁ ଲୋକମାନେ ବିଜେପି ସହ ଯାଇଛନ୍ତି, ସେମାନଙ୍କ ଇତିହାସ ମନେ ରଖିବା ଉଚିତ୍ । ପଞ୍ଜାବରେ ଅକାଳୀ ଦଳ ଏବେ ବିଜେପି ସହ ନାହିଁ । ବିହାର, ଆନ୍ଧ୍ରପ୍ରଦେଶରେ ବିଜେପି ସରକାରରୁ ବାହାରିଲା ଏବଂ ମେଣ୍ଟ ଭାଙ୍ଗିଲା । ଯେତେବେଳେ ବି ଯିଏ ବିଜେପି ସହ ଯାଇଛନ୍ତି ସେମାନେ ବାହାରିଛନ୍ତି । ବିଜେପି ସବୁବେଳେ ନିଜ ସହଯୋଗୀ ଦଳକୁ ବର୍ବାଦ କରିଦିଏ ବୋଲି ଶରଦ କହିଛନ୍ତି ।