ଏଣିକି ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ବସିଲା ବୈଠକ

824

କନକ ବ୍ୟୁରୋ: ଏଣିକି ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ । ଶ୍ରୀମନ୍ଦିର ଆନନ୍ଦବଜାରର ଶୃଙ୍ଖଳା ନେଇ ହୋଇଥିବା ଆଲୋଚନାରେ ଏପରି ନିଷ୍ପତି ନିଆଯାଇଛି । ତେବେ ଅବଢ଼ା ଦର ତାଲିକା ଚୂଡ଼ାନ୍ତ ହୋଇ ପାରିନାହିଁ । ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଂଟନ ନେଇ ମଧ୍ୟ ନିଷ୍ପତି ନିଆଯାଇ ପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭଲ ଘିଅ ଅର୍ଥାତ ଓମ୍ଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଛି । ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ନେଇ କୋର କମିଟି ନିଷ୍ପତି ନେବା ପରେ ମୁଖ୍ୟ ପ୍ରଶାସକଙ୍କୁ ଅନୁମୋଦନ ପାଇଁ ପଠାଯିବ । ବିଶେଷ କରି ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତ ପ୍ରବେଶ ଉପରେ ରୋକ ଲଗାଯାଇଛି । ଆନନ୍ଦବଜାରରେ ଅଣ-ସୁଆରଙ୍କୁ ବାହାର କରି ଦିଆଯାଇଛି । ସୁଆର-ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ହେବେ । ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ଓ ଜରି କାଢ଼ି ସେଡ୍ ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି ।