ଆକାଂକ୍ଷା ଜିଲ୍ଲାର ସ୍ଥିତି ପରଖିବାକୁ ୧୦ ଜିଲ୍ଲାକୁ ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ । ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ, ସହଯୋଗ କଲେନି ଜିଲ୍ଲା ପ୍ରଶାସନ ।

171

କନକ ବ୍ୟୁରୋ : ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ । ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର କରିଥିବା ଯୋଜନା କେତେ ଦୂର କାର୍ଯ୍ୟକାରୀ ହୋଇପାରିଛି, ତାର ଅନୁଧ୍ୟାନ କରାଯିବ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ କୋରାପୁଟ ଗସ୍ତ କରିଛନ୍ତି । ହେଲେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି ।

ଅର୍ଜୁନ ମୁଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ପ୍ରହ୍ଲାଦ ସିଂ ପଟେଲ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ସଂଜୀବ ବଲିୟାନ, ପ୍ରଫେସର ଏସ. ବାଘେଲ, ସୁଶ୍ରୀ ଶୋଭା କରନ୍ଦିିଜେ, ଶ୍ରୀ ସୋମ୍ ପ୍ରକାଶ, ଡକ୍ଟର ସୁବାସ ସରକାରଙ୍କୁ ନେଇ ଲମ୍ବା ତାଲିକା କରିଛି ଦିଲ୍ଲୀ । ପଛୁଆ ଜିଲ୍ଲାର ବିକାଶ କେତେ ହୋଇଛି, କେନ୍ଦ୍ରର ଯୋଜନା କାର୍ଯ୍ୟକାରିତାର ହେବ ସମୀକ୍ଷା । ହୁଏତ ସଂଯୋଗ ହୋଇପାରେ, ହେଲେ ୨୦୨୪କୁ ଆଖି ଆଗରେ ରଖି ବିଜେପିର ମିଶନ ଓଡିଶା ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି । କାରଣ ସରକାରୀ କାର୍ଯ୍ୟକ୍ରମ ପାଇଁ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ ରହିଛି ।

ସମୀକ୍ଷାର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ କୋରାପୁଟ ଜିଲ୍ଲା ଗସ୍ତ କରି ସଂଜୀବ ବାଲିୟାନ ସମୀକ୍ଷା କରିଛନ୍ତି । ଆଉ ପ୍ରଥମରୁ ହିଁ ବାରି ହୋଇଛି ରାଜନୈତିକ ଅଭିସନ୍ଧି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଥମ ଦିନରେ ତାଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ବିଧାୟକଙ୍କ ସହଯୋଗ ମିଳିନାହିଁ । ବିକାଶ କାମରେ ରାଜନୀତି କରିବା କଥା ନୁହେଁ । ରାଜନୀତି ପାଇଁ ଅନେକ ସମୟ ଅଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ରାଜ୍ୟ ବିଜେପି କ୍ୟାମ୍ପକୁ ଉତ୍ସାହିତ କରିପାରେ । କାରଣ ପଂଚାୟତ ଓ ପୈାର ବିପର୍ଯ୍ୟୟ ପରେ ଦଳ, ରାଜ୍ୟ ସରକାର ବିରୋଧରେ ଲଢେଇ କରିବାର ଅସ୍ତ୍ର ଖୋଜୁଥିଲା । ଆଉ କେନ୍ଦ୍ରମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲାର ବିକାଶର ସମୀକ୍ଷା କରି ଏହା ଯୋଗାଉଥିବା ଚର୍ଚ୍ଚା ହେଉଛି ।

କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ବାସ୍ତବ ସ୍ଥିତି ପରୀକ୍ଷଣ ସହ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଉନ୍ନୟନ ମୂଳକ କାମ ବାବଦରେ ବିସୃତ ଆଲୋଚନା କରିବାର ଯେଉଁ ଖସଡା ତିଆରି ହୋଇଛି, ସେଉପରେ ବୟାନ ରଖି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବିଜେଡି ୨୦୩୦ ପାଇଁ ପ୍ରସ୍ତୁତି କରୁଛି ।

ଦେଶର ପଛୁଆ ଜିଲ୍ଲାକୁ ଆଗୁଆ ଜିଲ୍ଲା ସହ ସମକକ୍ଷ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କର୍ଯ୍ୟକ୍ରମ ପ୍ରଚଳନ କରିଥିଲେ । ଆଉ ଏବେ ତାର ସମୀକ୍ଷା କରି କେତେ ଫଳପ୍ରଦ ହୋଇଛି, ତାର ଉତ୍ତର ଖୋଜାଚାଲିଛି ।