ବିପଦରେ ପାରାଦୀପ ! ବର୍ଷକୁ ୧ ମିଲିମିଟର ବଢ଼ୁଛି ସମୁଦ୍ର ଉଚ୍ଚତା, ୩ ଫୁଟ ପର୍ଯ୍ୟନ୍ତ ଉଠିଯିବ ପାଣି !

571

କନକ ବ୍ୟୁରୋ : ପାରାଦୀପରେ ସମୁଦ୍ର ବର୍ଷକୁ ପ୍ରାୟ ୧ ମିଲିମିଟର ଉପରକୁ ଉଠୁଛି । ଅର୍ଥାତ୍ ଦଶ ବର୍ଷରେ ସମୁଦ୍ରର ଉଚ୍ଚତା ୧ ସେଣ୍ଟିମିଟର ବଢ଼ିଯାଉଛି । ହାଇଦ୍ରାବାଦର ଇନକଏସ୍ ଗବେଷଣା ସଂସ୍ଥାର ଏହି ତଥ୍ୟକୁ ରାଜ୍ୟସଭାରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ । ତେବେ ପୂର୍ବରୁ ୨୦୫୦ ସୁଦ୍ଧା ପାରାଦୀପରେ ସମୁଦ୍ର ୧.୯୩ ଫୁଟ୍ ଉଠିଯିବ ବୋଲି ନାସାର ପୂର୍ବାନୁମାନ ମଧ୍ୟ ଗବେଷକମାନଙ୍କୁ ଚିନ୍ତାରେ ପକାଇଛି । ପ୍ରଶ୍ନ ଉଠୁଛି, ପାରାଦୀପ ପ୍ରତି ବଡ ବିପଦ ମାଡି ଆସୁଛି କି ।

ବିପଦରେ ପାରାଦୀପ ! ବର୍ଷକୁ ୧ ମିଲିମିଟର ବଢ଼ୁଛି ସମୁଦ୍ର ଉଚ୍ଚତା ! ନାସା ଓ ଆଇପିସିିସି ତଥ୍ୟ ବଢାଇଲା ଚିନ୍ତା । ହୁଏତ ଆଗାମୀ ୪୦ ବର୍ଷ ପରେ ବଦଳି ଯାଇଥିବା ପାରାଦୀପର କାୟା । ସମୁଦ୍ର ଗର୍ଭରେ ଲୀନ ହୋଇଯିବ କିଛି ଅଂଚଳ । ଯେଉଁଭଳି ଭାବେ ସମୁଦ୍ର ବଢୁଛି ତା’ ଆଧାରରେ ଏଭଳି ଚିନ୍ତା ପ୍ରକଟ କରାଯାଇଛି । ୪୦ ବର୍ଷ ଧରି ଢ଼େଉ ଉଚ୍ଚତାକୁ ଗଜରେ ମାପି ଏହି ନିଷ୍କର୍ସରେ ପହଞ୍ଚିଛି ହାଇଦ୍ରାବାଦର ଇନକଏସ୍ ବା ଇଣ୍ଡିଆନ୍ ନେସନାଲ୍ ସେଣ୍ଟର ଫର ଓସେନ ଇନଫର୍ମେସନ ଆଣ୍ଡ ସର୍ଭିସେସ । ଏହା ହେଉଛି ଭାରତର ସରକାରଙ୍କ ବିଜ୍ଞାନ, ପ୍ରଯୁକ୍ତି ଓ ପୃଥିବୀ ମନ୍ତ୍ରାଳୟର ଏକ ସ୍ୱୟଂଶାସିତ ସଂସ୍ଥା । ୧୯୬୬ରୁ ୨୦୦୫ ପର୍ଯ୍ୟନ୍ତ ୪୦ ବର୍ଷର ତଥ୍ୟ ବିଶ୍ଳେଷଣ କରି ଏହି ଆଶଙ୍କା ବ୍ୟକ୍ତ କରାଯାଇଛି ।

ପୂର୍ବରୁ ୨୦୨୧ ଅଗଷ୍ଟ ମାସରେ ନାସାର ସର୍ଭେକୁ ନେଇ ଜାତିସଂଘର ଆଇପିସିସି- ଇଂଟରଗଭର୍ମେଣ୍ଟାଲ କ୍ଳାଇମେଟ୍ ଚେଂଜ୍ ଆହୁରି ବିପଦଜନକ ଭବିଷ୍ୟବାଣୀ କରିଥିଲା । ୨୦୫୦ ମସିହା ସୁଦ୍ଧା ପାରାଦୀପ ସମେତ ଭାରତର ୧୨ଟି ସହରରେ ସମୁଦ୍ର ୩ ଫୁଟ ପର୍ଯ୍ୟନ୍ତ ଉଠିଯିବ ବୋଲି ପୂର୍ବାନୁମାନ କରିଥିଲା । ଏଥିରେ ପାରାଦୀପରେ ସମୁଦ୍ରର ଉଚ୍ଚତା ୧.୯୩ ଫୁଟ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୨ ଫୁଟ ଉଠିଯିବ ବୋଲି ପୂର୍ବାନୁମାନ କରାଯାଇଥିଲା । କାର୍ବନ ଗ୍ୟାସର ପ୍ରଭାବ, ଜଳବାୟୁ ପରିବର୍ତନ ଓ ମେରୁ ଅଂଚଳରେ ବରଫ ତରଳିବା ଭଳି କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି କୁହାଯାଇଥିଲା ।

ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି, ପେଟ୍ରୋଲିୟମ ଗାଡି, ଏସି ଫ୍ରିଜର ବହୁଳ ବ୍ୟବହାର ଫଳରେ ବାୟୁମଣ୍ଡଳରେ ବ୍ୟାପକ ପରିବର୍ତନ ଆସିଛି । ଯାହାଫଳରେ ଗ୍ଲେସିୟର୍ ତରଳୁଛି ଆଉ ସମୁଦ୍ର ଫୁଲୁଛି । ସମୁଦ୍ରର ଉଚ୍ଚତା ବଢ଼ିବା କାରଣରୁ ଓଡ଼ିଶାର ସାତଭାୟା, ଅସ୍ତରଙ୍ଗ ଭଳି କିଛି ଅଂଚଳ ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି । ଏବେ ଓଡ଼ିଶାର ୪୫୦ କିମି ବେଳାଭୂମିରୁ ସମୁଦ୍ରର ଢ଼େଉ ପ୍ରାୟ ୩୧ କିଲୋମିଟର ଅଂଚଳ ପ୍ରତି ବିପଦ ସୃଷ୍ଟି କରିଛି ।