ରାସ୍ତାରେ ଅଟକିଲା ରୁକୁଣା ରଥ । ବ୍ୟାପକ ଅବ୍ୟବସ୍ଥା, କାହିଁକି ହେଲା ବିଭ୍ରାଟ ଉଠିଲା ପ୍ରଶ୍ନ ।

179

କନକ ବ୍ୟୁରୋ : ରୁକୁଣା ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ରୁକୁଣା ରଥର ଚକ ଦବି ଯିବା, ଠାକୁର ମାଉସୀ ମା ମନ୍ଦିର ପହଞ୍ଚିବାକୁ ତିନି ଦିନ ସମୟ ଲାଗିବା ଏବଂ ଲିଙ୍ଗରାଜଙ୍କ ରଥ ଭାଙ୍ଗି ଫେରିବା ସମୟରେ ମାଆ ପାର୍ବତୀଙ୍କ ପାଲିଙ୍କି ଭାଙ୍ଗିଯିବା ଘଟଣା ଭକ୍ତଙ୍କ ମନରେ ଆଘାତ ଦେଇଛି । ଏହାକୁ ନେଇ ସେବାୟତ ଓ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରାସ୍ତାରେ ଅଟକିଲା ରୁକୁଣା ରଥ । ବ୍ୟାପକ ଅବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନ । ମାଉସୀମା ମନ୍ଦିରକୁ ଗଡିଯାଉଥିବା ବେଳେ ଅଧା ବାଟରେ ଅଟକିଗଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ନବନିର୍ମିତ ରାସ୍ତା ଭାଙ୍ଗି ଯିବା ଫଳରେ ରଥ ଚକ ଆଉ ଆଗକୁ ଗଡି ପାରିଲାନି । ଏପରିକି ରଥର ଚକ ମଧ୍ୟ ଗାତରେ ପଡି କ୍ଷତିଗ୍ରସ୍ତ ହୋଇଗଲା । ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ଦ୍ୱିତୀୟ ଦିନରେ ଘଟିଛି ଏପରି ଅଘଟଣ । ଯାହା ଫଳରେ ମାଉସୀମା ମନ୍ଦିରରେ ପହଂଚିବାକୁ ଠାକୁରଙ୍କୁ ୩ ଦିନ ଲାଗିଯାଇଛି । ତରବରିଆ ଭାବେ ରଥରୋଡକୁ ପିଚୁ ପକାଯାଇଥିବାରୁ ଏପରି ଘଟିଥିବା ଅଭିଯୋଗ ହେଇଛି ।

ଖାଲି ସେତିକି ନୁହେଁ ବିଧି ଅନୁସାରେ ମା ପାର୍ବତୀ ଳିଙ୍ଗରାଜଙ୍କ ରଥ ଭାଙ୍ଗି ଫେରୁଥିବା ବେଳେ ମଧ୍ୟ ଘଟିଛି ଅଘଟଣ । ବୈତାଳୁ ମନ୍ଦିର ନିକଟରେ ପହଂଚିଥିବା ବେଳେ ମାଙ୍କୁ ଅଣାଯାଉଥିବା ପାଲିଙ୍କି ଭାଙ୍ଗିଯାଇଛି । ଅଳ୍ପ ଦିନ ତଳେ ନିର୍ମାଣ କରାଯାଇଥିବା ପାଲିଙ୍କି ଭାଙ୍ଗିଯିବାକୁ ନେଇ ପ୍ରଶ୍ନ ଉଠିଛି । ପାଲିଙ୍କି ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିବା କାଠ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ପରେ ମା ପାର୍ବତୀଙ୍କ ପୁରୁଣା ପାଲିଙ୍କି ଅଣାଯାଇ ବିଗ୍ରହଙ୍କୁ ଲିଙ୍ଗରାଜ ମନ୍ଦିରକୁ ଅଣାଯାଇଥିଲା ।

କରୋନା କଟକଣା ଯୋଗୁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଆଉ ଏବେ ଦୁଇ ବର୍ଷ ପରେ ବିଶ୍ୱପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରା ସମୟରେ ବ୍ୟାପକ ଅବ୍ୟବସ୍ଥା ଭକ୍ତ ଓ ସେବାୟତଙ୍କ ମନରେ ଅସନ୍ତୋଷ ତିଆରି କରିଛି ।