ନ୍ୟୁଜିଲାଣ୍ଡ ଛୁଇଁଲା ନୂଆବର୍ଷ, ସିଡନୀ ଜଣାଇଲା ସ୍ୱାଗତ । ଏପଟେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଦେଶବ୍ୟାପୀ ଉତ୍ସାହ । ହୋଟେଲ, କ୍ଲବରେ ସେଲିବ୍ରିଟିଙ୍କ ସୋ’ରେ ଝୁମିବେ ଲୋକ ।

273

କନକ ବ୍ୟୁରୋ: ସ୍ୱାଗତମ ୨୦୨୦ । ପୁରୁଣା ବର୍ଷ ସରି ସରି ଯାଉଛିି, ନୂଆବର୍ଷ ଆସୁଛି । ବୁଲେଟିନ୍ ଆରମ୍ଭ କରିବା ନୂଆବର୍ଷ ସଂପର୍କିତ ଖବରରୁ । ନଇଁ ସାରିଛି ବର୍ଷର ଶେଷ ସୁରୁଜ । ଏବେ ନୂଆବର୍ଷର ଆଗମନକୁ ଅପେକ୍ଷା । ଭାରତର ବିଭିନ୍ନ ସହର ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନ୍ୟୁଜିଲାଣ୍ଡ ପାଳିଛି ନୂଆ ବର୍ଷ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ସହରରେ ବେଶ ଧୁମଧାମରେ ବର୍ଷ ୨୦୨୦କୁ ସ୍ୱାଗତ କରାଯାଇଛି ।

ନୂଆବର୍ଷର ଆଗମନ ସହ ଅକଲାଣ୍ଡ ସହରରେ ଥିବା ସ୍କାଏ ଟାୱାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ଆଉ ସେଠି ଉପସ୍ଥିତ ଥିବା ହଜାର ହଜାର ଲୋକ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସ୍ଥାନୀୟ ସମୟ ଠିକ୍ ରାତି ୧୨ଟାକୁ ଅପେକ୍ଷା କରି ଚାହିଁ ରହିଥିଲେ ସମସ୍ତେ । ସ୍କାଏ ଟାୱାର ନିକଟରେ ସମୟ ଅବଗଣନା କରୁଥିଲେ ହଜାର ହଜାର ଲୋକ । ଆଉ ଯେତେବେଳେ ରାତି ୧୨ଟା ହେଲା ଆତସବାଜୀ ଓ ଆଲୋକମାଳାରେ ଝଲସି ଉଠିଥିଲା ପୁରା ସହର ।

ସ୍କାଏ ଟାୱାର ସମେତ ନିକଟରେ ଥିବା ବ୍ରିଜ୍ ଏବଂ ବଡ ବଡ ବିଲ୍ଡିଂରୁ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା ରଙ୍ଗାରଙ୍ଗ ଆଲୁଅ ଭିତରେ । ଇଏ ହେଉଛି ସେହି ଜିରୋ ନାଇଟ୍ ସେଲିବ୍ରେସନ୍ ସମୟର ମନୋରମ ଦୃଶ୍ୟ । ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠି ପ୍ରଥମେ ଆସେ ନୂଆବର୍ଷ ।