କିଏ କରୁଥିଲା ଆଇଏଏସଙ୍କ ପାଇଁ ଲାଞ୍ଚ କାରବାର ? କିଭଳି ଯାଉଥିଲା ବିଜୟଙ୍କ ପକେଟକୁ ମୋଟା ଅଙ୍କର ଲାଞ୍ଚ ? ଖୋଲିଲା ବଦନାମ ବାବୁଙ୍କ ବଡ ଗୁମର

1,569

କନକ ବ୍ୟୁରୋ: କେମିତି ଭିଜିଲାନ୍ସ ଜାଲରେ ପଡିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ? ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କୁ ଧରିବା ପାଇଁ କିଭଳି ଜାଲ ବିଛାଇଥିଲା ଭିଜିଲାନ୍ସ ? ଏକ ପ୍ରେସ ରିଲିଜ ଜାରି କରି ପୂରା ଲାଂଚ କାରବାରର ରହସ୍ୟ ଖୋଲିଛି ଭିଜିଲାନ୍ସ ବିଭାଗ ।

ଭୁବନେଶ୍ୱର ବାପୁଜୀନଗରେ ଭିଜିଲାନ୍ସ ଧରିଥିବା ସନ୍ତୋଷ କୁମାର ପଟ୍ଟନାୟକ ୟେସ ବ୍ୟାଙ୍କର ରିଲେସନସିପ ମ୍ୟାନେଜର । ଭିଜିଲାନ୍ସ ପ୍ରେସ ରିଲିଜରେ କୁହାଯାଇଛି ଯେ, ବିଜୟ କେତନ ଉପାଧ୍ୟାୟଙ୍କ ପାଇଁ ଏହି ବ୍ୟକ୍ତି ୧ ଲକ୍ଷ ଟଙ୍କା ଲାଂଚ ଗ୍ରହଣ କରୁଥିବାବେଳେ ହିଁ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଏପରିକି ଲାଂଚ ଟଙ୍କାକୁ ସେ ପ୍ୟାଣ୍ଟ ପକେଟରେ ରଖିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଟଙ୍କାରେ ନିର୍ଦ୍ଦିଷ୍ଟ ରସାୟନ ଦିଆଯାଇଥିବାରୁ ହାତ ଓ ପ୍ୟାଣ୍ଟ ପକେଟକୁ ଧୋଇବା ପରେ କେମିକାଲ ରିଆକ୍ସନ ହେବାରୁ ସେ ହିଁ ଲାଂଚଟଙ୍କା ଗ୍ରହଣ କରିଥିବା ନେଇ ପ୍ରମାଣ ମିଳିଥିଲା ।

ଭିଜିଲାନ୍ସର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ଜଳ ସିଂଚନ ଉପକରଣ ଯୋଗାଇ ଦିଆଯାଉଛି । ଏଥିପାଇଁ ଅଧିକୃତ ସପ୍ଲାୟର ଯୋଗ୍ୟ ଚାଷୀଙ୍କୁ ଉପକରଣ ଯୋଗାଇ ସାରିବା ପରେ ଫିଲ୍ଡ ଭେରିଫିକେସନ ପରେ ସଂପୃକ୍ତ କମ୍ପାନିର ବିଲ ରିଲିଜ କରିବା ପାଇଁ ଜଣାଇଥାଏ ଜିଲ୍ଲା ଉଦ୍ୟାନ କୃଷି ବିଭାଗ । ତେବେ ରାଜ୍ୟ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ବିଲ ରିଲିଜ କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ଦାବି କରିଥାନ୍ତି । ଯାହାକୁ ତାଙ୍କ ପାଇଁ ଗ୍ରହଣ କରିଥାନ୍ତି ୟେସ ବ୍ୟାଙ୍କର ଏହି ରିଲେସନସିପ ମ୍ୟାନେଜର ସନ୍ତୋଷ କୁମାର ପଟ୍ଟନାୟକ ।

ଏସଆରଏମ ପ୍ଲାଷ୍ଟୋକେମ ପ୍ରାଇଭେଟ ଲିିମିଟେଡର ଏହିଭଳି ୫୦ ଲକ୍ଷ ଟଙ୍କାର ବିଲ ରିଲିଜ କରିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ ଆଇଏଏସ ବିଜୟ କେତନ । ଯାହାକୁ ତାଙ୍କପାଇଁ ସନ୍ତୋଷ ପଟ୍ଟନାୟକ ଗ୍ରହଣ କଲାବେଳେ ଧରା ପଡିଗଲେ । ଏବେ ଉଭୟଙ୍କୁ ଗିରଫ କରି ଅନ୍ୟ ଲାଂଚ ମାମଲା ଗୁଡିକର ମଧ୍ୟ ଖୋଳତାଡ ଚଳାଇଛି ଭିଜିଲାନ୍ସ ବିଭାଗ ।

ତେବେ ଭିଜିଲାନ୍ସ କୋର୍ଟରେ ହାଜର ବେଳେ ମିଡିଆ ଆଗରେ ମୁହଁ ଖୋଲିଛନ୍ତି ଲାଞ୍ଚ ନେଇ ଧରାପଡିଥିବା ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । କହିଛନ୍ତି କି ଆକ୍ରୋଶମୂଳକ ଭାବେ ମୋତେ ଫସାଇ ଦିଆଯାଇଛି । ଆମ ଅଧିକାରୀ ମୋତେ ଫସାଇ ଦେଇଛନ୍ତି । ତେବେ ବିଜୟ ସତ କହୁଛନ୍ତି କି ମିଛ ତାହା ତଦନ୍ତ ପରେ ଜଣାପଡିବ ।