କଂଗ୍ରେସ ମହାଅଧିବେଶନରେ ଦଳର ନୂଆ ରଣନୀତି। ପୂର୍ବରୁ ପଶ୍ଚିମ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ।

86

କନକ ବ୍ୟୁରୋ: ଋାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା କଂଗ୍ରେସ ପାଇଁ ସଞ୍ଜିବନୀ ହୋଇଥିବା ବେଳେ ଏବେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଦଳ ଯୋଜନା କରୁଛି । ରାୟପୁରରେ ଚାଲିଥିବା ୮୫ତମ ମହାଅଧିବେଶନରେ ଏହି ସୂଚନା ଦେଇଛନ୍ତି ଭାରତ ଯୋଡଯାତ୍ରାର ଆବାହକ ଜୟରାମ ରମେଶ । କହିଛନ୍ତି କଂଗ୍ରେସ ଏବେ ଅରୁଣାଚଳ ପ୍ରଦେଶରୁ ଗୁଜାରଟକୁ ପଦଯାତ୍ରା କରିବା ଉପରେ ବିଚାର ବିମର୍ଶ କରୁଛି । ଅନ୍ୟପଟେ ରାୟପୁରରେ ମହାଅଧିବେଶନକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଚୀନ ସହ ସୀମା ବିବାଦଠୁ ଆରମ୍ଭ କରି ସଂସଦରେ ଅଦାନୀ ପ୍ରସଙ୍ଗ ଓ ୨୦୨୪ ସାଧାରଣ ନିର୍ବାଚନ ପ୍ରସଙ୍ଗ କଥା ଉଠାଇଛନ୍ତି । ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଆଦାନୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ବର୍ଷିିଛନ୍ତି ।

ସେପଟେ ଅଧିବେଶନକୁ ସମ୍ବୋଧନ କରି ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ୨୦୨୪ ପାଇଁ ବୀଜମନ୍ତ୍ର ଦେଇଛନ୍ତି । ନିର୍ବାଚନ ପାଇଁ ପାଖାପାଖି ବର୍ଷେ ସମୟ ରହିଥିଲା ବେଳେ ସବୁ ବିରୋଧୀଙ୍କୁ ଏକଜୁଟ ହେବାକୁ ପ୍ରିୟଙ୍କା ଆହ୍ୱାନ ଦେଇଛନ୍ତି । ମହାଅଧିବେଶନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସକ୍ରିୟ ରାଜନୀତିରୁ ଅବସର ନେବା ସଙ୍କେତ ପରେ ଏହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ରାଜନୈତିକ ମହଲରେ ଚାଲିଥିବା ଏହି ଚର୍ଚ୍ଚା ଯଦି ସତ ହୁଏ ତେବେ ଆଗାମୀ ନିର୍ବାଚନ କଂଗ୍ରେସ ପାଇଁ କଣ ହେବ ଓ ଜାତୀୟ ରାଜନୀତିର ଏହାର ପ୍ରଭାବ କଣ ପଡିବ ।

ଏହି ପ୍ରଶ୍ନର ଉତ୍ତର ଏବେ କଂଗ୍ରେସ ଖୋଜିବ । ସୋନିଆ ସକ୍ରିୟ ରାଜନୀତିରୁ ଅବସର ନେଲେ ଉତ୍ତରପ୍ରଦେଶରେ କଂଗ୍ରେସର ଗଡ ରାୟବରେଲିରେ ମଧ୍ୟ ଚେହେରା ବଦଳାଇବାକୁ ପଡିବ । ରାହୁଲ ଆମେଠିରୁ ନିର୍ବାଚନ ଲଢୁଥିବାରୁ ରାୟବରେଲିରୁ ପ୍ରିୟଙ୍କା ଲଢିବା ସମ୍ଭାବନା ଅଧିକ । କାରଣ ୟୁପିକୁ ଛାଡିଦେଲେ ଦିଲ୍ଲୀ ଗାଦିରେ ପହଞ୍ଚିବା ସମ୍ଭବ ନୁହେଁ । ରାୟପୁରରେ ଚାଲିଥିବା କଂଗ୍ରେସର ମହାଅଧିବେଶନରେ ପ୍ରିୟଙ୍କାଙ୍କ ସ୍ୱାଗତ ପାଇଁ କଂଗ୍ରେସ କର୍ମୀ ୨ କିଲୋମିଟର ରାସ୍ତାରେ କାର୍ପେଟ ଭଳି ଗୋଲାପ ବିଛାଇବା ପ୍ରିୟଙ୍କା ସପକ୍ଷରେ ମଧ୍ୟ ମତ ଦେଉଛି ।