ହାତକୁ ଦି’ହାତ ହେଲେ ଦିବ୍ୟଶଙ୍କର। ପଡିଲା ହାତଗଣ୍ଠି, ବାଜିଲା ଶାହାନାଇ।

234

କନକ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଜୁନାଗଡର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ସଫ୍ଟୱାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ଥିଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର । ପ୍ରିୟଙ୍କାଙ୍କ ନିଜ ଘର ହେଉଛି ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁରେ । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ଭୁବନେଶ୍ୱର ଉପକଣ୍ଠ ପିିପିଲର ଏକ ହୋଟେଲରେ ବାହାଘର ହୋଇଛି । ଦିନରେ ନିର୍ବନ୍ଧ ହୋଇଥିଲା । ଉଭୟ କେକ ବି କାଟିଥିଲେ । ପରେ ବାହାଘର ହୋଇଛି । ଅଗ୍ନିକୁ ସାକ୍ଷୀ ରଖି ଜୀବନର ସାଥୀ ହେବାକୁ ଶପଥ ନେଇଛନ୍ତି ବିବାହ ଉତ୍ସବରେ ଉଭୟ ପରିବାରର କିଛି ଖାସ ଲୋକ ଓ ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଥିଲା । ତେବେ କୌଣସି ରାଜନୈତିକ ଦଳର ନେତାଙ୍କୁ ଦେଖିବାକୁ ମିଳିନଥିଲା । ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ହିଁ ବିବାହ ମଣ୍ଡପକୁ ଛଡାଯାଇଥିଲା ।

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଉଭୟ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ପୂର୍ବରୁ ଦିବ୍ୟଶଙ୍କର ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣରୁ ପ୍ରଥମ ସ୍ତ୍ରୀଙ୍କ ସହ ଛାଡପତ୍ର ହୋଇଥିଲା । ତାଙ୍କର ଜଣେ ପୁଅ ଅଛନ୍ତି । ସେହିଭଳି ପ୍ରିୟଙ୍କାଙ୍କ ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ । ପ୍ରଥମ ସ୍ୱାମୀଙ୍କ ସହ ଛାଡପତ୍ର ହେବା ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପାଇଲଟ ଭାବେ କାମ କରୁଥିଲେ । ପରେ ରାଜନୀତିରେ ଯୋଗଦେଇ କଳାହାଣ୍ଡି ଜୁନାଗଡରୁ ବିଧାୟକ ହୋଇଛନ୍ତି ।