ଦୀର୍ଘ ୫୦ ବର୍ଷ ହେଲା ପେଡ଼ା ବ୍ୟବସାୟ କରୁଛନ୍ତି ଥାନୁଆଳ ଗାଁର ୫୦ରୁ ଅଧିକ ପରିବାର, ପେଡା ପାଇଁ ଏହି ଗାଁର ରହିଛି ସ୍ୱତନ୍ତ୍ର ପରିଚୟ

693

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ଥାନୁଆଳ ଗାଁ । ପାଖାପାଖି ଏକ ହଜାର ଲୋକ ଏହି ଗାଁରେ ବସବାସ କରୁଥିବା ବେଳେ ପେଡା ପାଇଁ ଏହି ଗାଁର ରହିଛି ଭିନ୍ନ ଏକ ପରିଚୟ । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଏହି ଗାଁର ୫୦ରୁ ଅଧିକ ପରିବାର ପେଡା ବ୍ୟବସାୟ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି । ସମୟ ଥିଲା ଏହି ଗାଁର ପେଡା କାରିଗରମାନେ ଆଖପାଖ ଅଂଚଳରୁ ସାଇକେଲରେ ବୁଲି କ୍ଷୀର ସଂଗ୍ରହ କରି ପେଡା ତିଆରି କରୁଥିଲେ । ମାତ୍ର ବର୍ତମାନ ସ୍ଥିତି ଅଲଗା । ଆବଶ୍ୟକ ପରିମାଣ କ୍ଷୀର ସହଜରେ ମିଳୁନଥିବା ବେଳେ ଜାଳେଣୀ କାଠ,ଚିନି ଓ କ୍ଷୀର ଦର ମଧ୍ୟ ଯଥେଷ୍ଟ ବଢିଛି । ତଥାପି ଏହି ଗାଁର ପେଡା କାରିଗର ମାନେ ବ୍ୟବସାୟରୁ ମୁହଁ ଫେରାଇ ନାହାନ୍ତି ।

ଏହି ଗାଁର ପେଡା କାରିଗରମାନେ କ୍ଷୀର ସଂଗ୍ରହ କରୁଥିବା ବେଳେ ମହିଳାମାନେ ମଧ୍ୟ ଏଥିରେ ସହଯୋଗ କରିଥାନ୍ତି । ସଂଗୃହୀତ କ୍ଷୀରକୁ କାଠ ଚୂଲାରେ ପିତଳ ପାତ୍ରରେ ଆଉଟା ଯାଇଥାଏ । ଏହା ପରେ କ୍ଷୀର ଫୁଟି ଫୁଟି ଖୁଆରେ ପରିଣତ ହୋଇଥାଏ । ପରେ ଏହି ଖୁଆକୁ ଥଣ୍ଡା କରି ହାତରେ ଗୁଳା କରି ବିଭିନ୍ନ ଆକୃତିରେ ଗଢାଯାଇଥାଏ । ଦିନଥିଲା ଦଶ ପଇସାରେ ମନଲାଖି ପେଡାଟିଏ ମିଳୁଥିବା ବେଳେ ଏବେ ପେଡାର ଆକାର ଛୋଟ ହେବା ସହିତ ଦର ମଧ୍ୟ ବଢିଛି । ଯାହାଫଳରେ ବ୍ୟବସାୟୀମାନଙ୍କର ଲାଭ କମିଛି । ତଥାପି ଦୀର୍ଘବର୍ଷ ହେବ ପେଡାପାଇଁ ସୁନାମ ଅର୍ଜନ କରିଥିବା ଏହି ଗାଁ କାରିଗର ପେଡା ବ୍ୟବସାୟରୁ ମୁହଁ ଫେରାଇ ନାହାନ୍ତି ।

ଦୀର୍ଘବର୍ଷ ଧରି ବ୍ୟବସାୟ କରି ଚଳିଆସୁଥିବା ଏହି ପେଡା କାରିଗରଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବାର ଅବଶ୍ୟକତା ରହିଛି ।