ଡିସେମ୍ବର ପହିଲାରୁ ବଦଳି ଯିବ ସିମ୍ କିଣିବା ନିୟମ । ନକଲି ଫୋନକଲ ରୋକିବାକୁ ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ

889

କନକ ବ୍ୟୁରୋ : ଡିସେମ୍ବର ପହିଲାରୁ ସରକାର ସିମ୍ କିଣିବା ନିୟମ ଉପରେ ପରିବର୍ତ୍ତନ କରିବକୁ ଯାଉଛନ୍ତି । ଏହି ନିମୟ ଅକ୍ଟୋବର ପହିଲାରୁ ଲାଗୁ ହେବାର ଥିଲା । ହେଲେ ସରକାର ଏହାକୁ ୨ ମାସ ବୃଦ୍ଧି କରିଥିଲେ । ଯଦି ଆପଣ ସିମ୍ ଡିଲର ବା ସିମ୍ କାର୍ଡ କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏହି ନୂଆ ନିୟମ ବାବଦରେ ଜାଣିବା ନିହାତି ଜରୁରୀ ।

ନୂଆ ନିୟମ ମୁତାବକ ସିମ୍ ବିକ୍ରୟ କରୁଥିବା ଡିଲରମାନଙ୍କୁ ସେମାନଙ୍କୁ ପୋଲିସ ଭେରିଫିକେଶନ ଓ ବାୟୋମେଟ୍ରିକ୍ କରିବାକୁ ପଡିବ । ଏହାସହ ସିମ୍ ବିକ୍ରି କରିବାକୁ ପଞ୍ଜିକରଣ ଜରୁରୀ । ଯଦି କେହି ଏହି ନିୟମ ଉଲଙ୍ଘନ କରି ସିମ୍ ବିକ୍ରି କରେ ତେବେ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ବ୍ୟବସାୟୀଙ୍କୁ ପୋଲିସ ଭେରିଫିକେଶନ ପାଇଁ ୧୨ ମାସ ସମୟ ଦିଆଯିବ   ।

ଯଦି କୌଣସି ଗ୍ରାହକ ନିଜର ପୁରୁଣା ନମ୍ବର ଉପରେ ନୂଆ ସିମ୍ ନେବାକୁ ଚାହାଁନ୍ତି ତେବେ ତାଙ୍କ ଆଧାରକାର୍ଡ ଉପରେ ଛପା ଯାଇଥିବା କ୍ୟୁଆର କୋଡକୁ ସ୍କାନ କରି ଓ ତାଙ୍କର ଡେମୋଗ୍ରାଫି ଡାଟା ବି ସଂଗ୍ରହ କରାଯିବ ।

ନୂଆ ନିୟମ ମୁତାବକ ସରକାର ଓ ବ୍ୟବସାୟ ସଂଯୋଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତେବେ ଜଣେ ବ୍ୟକ୍ତି ଗୋଟିଏ ଆଧାରକାର୍ଡରେ ୯ଟି ସିମ୍ କାର୍ଡ କିଣିପାରିବେ । ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତି ନିଜର ସିମ୍ କାର୍ଡ ବନ୍ଦ କରିଦିଅନ୍ତି ତେବେ ୯୦ ଦିନ ପରେ ସେହି ନମ୍ବରର ସିମ୍ କାର୍ଡ ଅନ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି, ସାଇବର ଠକେଇ, ଓ ନକଲି କଲ ରୋକିବା ଉଦ୍ଦେଶ୍ୟରେ ସରକାର ଏହି ନିୟମ ଆଣିଛନ୍ତି । ଠକେଇକୁ ରୋକିବା ପାଇଁ ପାଖାପାଖି ୫୨ ଲକ୍ଷ ସିମ୍ କାର୍ଡ ବନ୍ଦ କରିଦିଆଯାଇଛି । ଏହାସହ ସିମ୍ ବିକ୍ରୟ କରୁଥିବା ୬୭ ହଜାର ଡିଲରଙ୍କୁ ସରକାର ନିଷିଦ୍ଧ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।