ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

168

କନକ ବ୍ୟୁରୋ : ସଂସଦ ଭବନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦସ୍ତଖତ କରିଛନ୍ତି । ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି ।  ଏଥି ସହିତ କ୍ୟାବିନେଟ୍ ମନ୍ତ୍ରୀ, ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଛନ୍ତି ।

ଦ୍ରୌପଦୀ ଆଜି ନାମାଙ୍କନ କରୁଥିଲେ ବି ସେ ଏକ ପ୍ରକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି । ଇଲେକ୍ଟରାଲ କଲେଜର ୫୦ପ୍ରତିଶତରୁ ଢ଼େର ଅଧିକ ଏବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ରହିଛି । ବିଜେଡ଼ି ପରେ ୱାଇଏସଆର କଂଗ୍ରେସ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବ ବୋଲି ଘେଷଣା କରିଛି । ତେଣୁ ଦ୍ରୌପଦୀଙ୍କ ସପକ୍ଷରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ଭୋଟ୍ ରହିଥିବା ସ୍ପଷ୍ଟ ହୋଇଯାଇଛି ।

ରାଷ୍ଟ୍ରପତି ନିର୍ବାଚନ ଗଣିତ :-

ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟର ମୂଲ୍ୟ- ୧୦, ୮୬, ୪୩୧
ବିଜୟ ପାଇଁ ଆବଶ୍ୟକ ଭୋଟ ୫,୪୩, ୨୧୬
ଏନଡିଏ ପାଖରେ ଅଛି- ୫,୨୫,୭୦୬
ଜିତିବା ପାଇଁ ଏନଡିଏକୁ ଦରକାର – ୧୭,୫୧୦
ବିଜେଡି ପାଖରେ ଅଛି – ୩୧,୬୮୬
ୱାଏସଆର କଂଗ୍ରେସ ଅଛି -୪୩,୪୫୦

ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏପଟେ ତାଙ୍କ ରାଇରଙ୍ଗପୁର ବାସଭବନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବାଜା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଶୁଭେଚ୍ଛୁ । ସାନ୍ତାଳି ନାଚଗୀତରେ ଦୁଲୁକୁଛି ରାଇରଙ୍ଗପୁର । ବାଣ ଫୁଟାଇ କେକ୍ କାଟି ଖୁସି ମନାଇଛନ୍ତି ସ୍ଥାନୀୟ ଲୋକେ ।