ଆସାମର ଷ୍ଟାର ହୋଟେଲରେ ଡେରା ପକାଇଛନ୍ତି ମହାରାଷ୍ଟ୍ର ବିଦ୍ରୋହୀ ବିଧାୟକ । ହୋଟେଲରେ ରହିବା ଖର୍ଚ୍ଚ ୫୬ ଲକ୍ଷ । ଦିନକୁ ଖାଇବା ଖର୍ଚ୍ଚ ୮ ଲକ୍ଷ ।

287

କନକ ବ୍ୟୁରୋ: ମହାରାଷ୍ଟ୍ରର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ସମୟ ଯେତିକି ଆଗକୁ ବଢୁଛି ବିଦ୍ରୋହୀ କ୍ୟାମ୍ପ ସେତିକି ସେତିକି ଅଧିକ ସୁଦୃଢ ହେଉଛି ଆଉ ଉଦ୍ଧବ ଠାକରେଙ୍କ ଟେନସନ ବି ବଢିବାରେ ଲାଗିଛି । ତେବେ ବର୍ତ୍ତମାନ ସମସ୍ତ ବିଦ୍ରୋହୀ ବିଧାୟକ ଆସାମରେ ଡେରା ପକାଇଥିବାବେଳେ ତାଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି ।

ମିଳିଥିବା ସୂଚନା ମୁତାବକ, ବିଦ୍ରୋହୀ ବିଧାୟକଙ୍କ ଖାଇବା ଆଉ ରହିବା ପାଇଁ ହିଁ କେବଳ ଖର୍ଚ୍ଚ ହେଉଛି ୧.୧୨ କୋଟି ଟଙ୍କା । ଏକନାଥ ସିନ୍ଦେଙ୍କ ସହିତ ବିଦ୍ରୋହୀ ବିଧାୟକମାନେ ଏବେ ଗୌହାଟୀର ରେଡିଏସନ୍ ବ୍ଲୁ ହୋଟେଲର ରହିଛନ୍ତି । ଏହି ହୋଟେଲରେ ଏବେ ୭୦ଟି ରୁମକୁ ବୁକ୍ କରିଛନ୍ତି ଏକନାଥ ସିନ୍ଦେ । ତେବେ ଗୋଟିଏ କି ଦୁଇ ଦିନ ନୁହେଁ, ବରଂ ଆଗାମୀ ୭ ଦିନ ପାଇଁ ଏହି ହୋଟେଲର ରୁମକୁ ବୁକ୍ କରାଯାଇଛି । ଯେଉଁଥିପାଇଁ କେବଳ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତା ସହିତ ବିଧାୟକଙ୍କ ଖାଇବା ପାଇଁ ଓ ଅନ୍ୟ ସର୍ଭିସ ପାଇଁ ଦିନକୁ ଖର୍ଚଚ୍ ହେଉଛି ୮ ଲକ୍ଷ ଟଙ୍କା । ତେଣୁ ସେହି ହିସାବ ଅନୁସାରେ ୭ ଦିନ ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ଏହାକୁ ମିଶାଇ ବିଦ୍ରୋହୀ ବିଧାୟକଙ୍କ ଖାଇବା ଓ ରହିବା ପାଇଁ କେବଳ ୧.୧୨ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି ।

ଗୌହାଟୀର ଏହି ହୋଟେଲରେ ଏବେ ଏକନାଥ ସିନ୍ଦେଙ୍କ ସହିତ କେତେ ଜଣ ବିଧାୟକ ଅଛନ୍ତି ତାହା ଠିକ୍ ଭାବେ ଜଣାପଡିନି । ହେଲେ ଏହି କଥା ସତ ଯେ, ସମୟ ବଢିବା ସହିତ ବିଦ୍ରୋହୀ କ୍ୟାମ୍ପରେ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ମୁତାବକ, ସିନ୍ଦେଙ୍କ ପାଖରେ ଏବେ ୩୭ ଶିବସେନା ବିଧାୟକଙ୍କ ସମର୍ଥନ ରହିଥିବାବେଳେ, ୭ ଜଣ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଛି । ତେଣୁ ଏହାକୁ ମିଶାଇ ମୋଟ ୪୬ ବିଧାୟକ ଏବେ ଆସାମର ରେଡିଏସନ୍ ବ୍ଲୁ ହୋଟେଲରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲିଠୁ ଉଦ୍ଧବ ସରକାର ନରମ ସ୍ୱଭାବ ଦେଖାଉଥିବା ଦେଖିବାକୁ ମିଳିଛି । ବିଦ୍ରୋହୀ ବିଧାୟକମାନେ ମହାରାଷ୍ଟ୍ର ଆସି କଥାବାର୍ତ୍ତା କରିବାକୁ କୁହାଯାଇଛି । ସଞ୍ଜୟ ରାୱତ ଏପରି ମଧ୍ୟ କହିସାରିଛନ୍ତି ଯେ, ବିଦ୍ରୋହୀ ବିଧାୟକ ଚାହିଁଲେ ଶିବସେନା ଏମଭିଏ ମେଣ୍ଟରୁ ମଧ୍ୟ ଅଲଗା ହୋଇଯିବ । ହେଲେ ଉଦ୍ଧବଙ୍କର କୌଣସି ସର୍ତ୍ତରେ ଏବେ ସୁଦ୍ଧା ସିନ୍ଦେଙ୍କ ବିଦ୍ରୋହୀ ଟିମ ରାଜି ହୋଇନି ।

ଅନ୍ୟପଟେ ଉଦ୍ଧବ ବିଧାନସଭା ଉପ-ବାଚସ୍ପତିଙ୍କୁ ଚିଠି ଲେଖି ସିନ୍ଦେଙ୍କ ସମେତ ୧୨ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛନ୍ତି । ଯାହା ପରେ ସିନ୍ଦେ ମଧ୍ୟ ବିଧାନସଭା ଉପ-ବାଚସ୍ପିତଙ୍କୁ ଚିଠି ଲେଖି ତାଙ୍କୁ ଶିବସେନାର ବିଧାୟକ ଦଳ ନେତା ଘୋଷଣା କରିବାକୁ ଦାବି କରିଛନ୍ତି । ଯାହା ଫଳରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ହେବାରେ ଲାଗିଛି ।