ନୀତିନ ଗଡକରୀଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ, କଂଗ୍ରେସରେ ମିଶିବା ନେଇ ନାନା କହିଲେ ଏଭଳି କଥା

561

କନକ ବ୍ୟୁରୋ : ନିଜର ସ୍ପଷ୍ଟ ବୟାନ ଓ ମତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ । ତାଙ୍କର ସ୍ପଷ୍ଟ ମତ ପାଇଁ ଅନେକ ସମୟରେ ଲୋକମାନଙ୍କର ଧାରଣା ଥାଏ କି ଗଡକରୀ ନିଜ ଦଳ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ହେଲେ ଏବେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୁଲେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ନାନା ପଟୁଲେ କହିଛନ୍ତି କି ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ଗଡକରୀ, ସେଠାରେ ତାଙ୍କର ସ୍ଥିତି ଭଲ ନାହିଁ । ତାଙ୍କୁ ବିଜେପି ଛାଡି କଂଗ୍ରେସରେ କଂଗ୍ରେସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ନାନା ପଟୁଲେ । ସେ କହିଛନ୍ତି କି ଗଡକରୀ ଯଦି କଂଗ୍ରେସରେ ଯୋଗ ଦେବାକୁ ଚାହିଁବେ ତେବେ ଆମେ ତାଙ୍କୁ ସମର୍ଥନ କରିବୁ ।

ନାନା ପଟୁଲେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ କହିଛନ୍ତି କି, କଂଗ୍ରେସ ଏକ ଲୋକତାନ୍ତ୍ରିକ ପାର୍ଟିରେ । ଏଥିରେ ପଦାଧିକାରୀ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତଙ୍କର କହିବାର ଅଧିକାର ରହିଛି । ହେଲେ ବିଜେପିରେ ଲୋକତନ୍ତ୍ର ନାହିଁ । ଏହି କାରଣରୁ ସେଠାରେ ଗଡକରୀଙ୍କ ସ୍ଥିତି ଭଲ ନଥିବା କଥା କହିଛନ୍ତି ନାନା ।

ସେ ଆହୁରି କହିଛନ୍ତି କି ନୀତିନ ଗଡକରୀ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ହେଲେ ସେ ଯଦି ଆମ ସହିତ ଆସିବାକୁ ଚାହିଁବେ ଆମେ ତାଙ୍କୁ ସ୍ୱାଗତ କରିବୁ । ଏନେଇ ନାନା ଖୁବଶୀଘ୍ର ଗଡକରୀଙ୍କୁ ଭେଟିବେ ବୋଲି କହିଛନ୍ତି ।