ମହଙ୍ଗା ପଡ଼ିଲା ସାବରକର ବିରୋଧୀ ମନ୍ତବ୍ୟ। ରାହୁଲଙ୍କ ବିରୋଧରେ ଏତଲା ଦେବେ ସାବରକରଙ୍କ ନାତି।

2,145

କନକ ବ୍ୟୁରୋ: ସାବରକରଙ୍କ ବୟାନ ପାଇଁ ଏବେ ବଡ଼ ବିବାଦରେ ଫସିଯାଇଛନ୍ତି ରାହୁଲ ଗାନ୍ଧୀ । କେବଳ ବିଜେପି ନୁହେଁ, ବୀର ସାବରକରଙ୍କ ବଂଶଜ ମଧ୍ୟ ରାହୁଲ ଏହି ବୟାନକୁ ନେଇ ଆପତି ଜତାଇଛନ୍ତି । ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ପରେ ଏବେ ଆଉ ଏକ ବଡ଼ ବିବାଦରେ ଫସିଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିକଟରେ ସାବରକରଙ୍କ ବିରୋଧରେ ରାହୁଲ ଯେଉଁଭଳି ମନ୍ତବ୍ୟ ଦେଇଥିଲେ, ତାକୁ ନେଇ ଶିବସେନା ସମେତ ହିନ୍ଦୁ ଗୋଷ୍ଠୀ ଅସନ୍ତୋଷ ଜାହିର କରିଛନ୍ତି । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ବୀର ଦାମୋଦର ସାବରକରଙ୍କ ନାତି ରଞ୍ଜିତ ସାବରକର । ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରଞ୍ଜିତ ।

ରଞ୍ଜିତ ସାବରକର କହିଛନ୍ତି, ସାବରକରଙ୍କ ନାମକୁ ନେଇ ରାଜନୀତିକରଣ ନିନ୍ଦନୀୟ । ରାହୁଲ ଗାନ୍ଧୀଙ୍କ ଦ୍ୱାରା ସାବରକରଙ୍କ ବିରୋଧୀ ବୟାନ ସମ୍ପୂର୍ଣ୍ଣ ପିଲାଳିଆମି । ହିନ୍ଦୁତ୍ୱ ଉପରେ ଆକ୍ରମଣ କରିବା ଦ୍ୱାରା ମୁସଲିମ୍ ଭୋଟ୍ ଆସିବ ବୋଲି ଅନୁମାନ ହେଉଛି । ସଂଜୟ ରାଉତ କିମ୍ବା ଉଦ୍ଧବ ଠାକରେଙ୍କ ମନରେ ସାବରକରଙ୍କ ପ୍ରତି ବହୁତ ସମ୍ମାନ ରହିଛି । ଉଦ୍ଧବ ଓ ସଂଜୟ ରାଉତ ଏହାକୁ ଗୁରୁତର ସହ ନେବା ଦରକାର ଓ ରାହୁଲଙ୍କୁ କ୍ଷମା ମାଗିବା ପାଇଁ କୁହନ୍ତୁ । ନିଜସ୍ୱ ସ୍ୱାର୍ଥ ପାଇଁ ସାବରକରଙ୍କ ବିରୋଧରେ ମନ୍ତବ୍ୟ ଦେବା ବନ୍ଦ କରାଯାଉ ବୋଲି ରଞ୍ଜିତ ସାବରକର କହିଛନ୍ତି ।

ସେପେଟ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ରାହୁଲଙ୍କ ବୟାନକୁ ନେଇ ଆପତ୍ତି ପ୍ରକାଶ କରିଛି । ଉଦ୍ଧବ ଠାକରେ ଓ ସଂଜୟ ରାଉତ ମନ୍ତବ୍ୟକୁ ବିରୋଧ କରିବା ସହ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସହ ମେଣ୍ଟ ଭାଙ୍ଗିବାକୁ ଚେତାବନୀ ଦେଇଛନ୍ତି । ସଂଜୟ ରାଉତ କହିଛନ୍ତି, ବୀର ସାବରକରଙ୍କୁ ନେଇ ରାହୁଲ ଗାନ୍ଧୀଙ୍କୁ କୌଣସି ଟିପ୍ପଣୀ କରିବାର ଆବଶ୍ୟକତା ନଥିଲା । ତେବେ ଏ ବିଷୟରେ ସଂଜୟ ରାଉତ, ରାହୁଲଙ୍କ ସହ କଥା ହେବେ ବୋଲି କହିଛନ୍ତି । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ରାହୁଲ ଗାନ୍ଧୀ ବାରମ୍ବାର ସାବରକରଙ୍କୁ ଅପମାନ କରୁଛନ୍ତି । ବୀର ସାବରକରଙ୍କ ଯୋଗୁଁ ଦେଶ ସ୍ୱାଧୀନତା ପାଇଛି । ଯେଉଁ ଦେଶ ପ୍ରେମୀଙ୍କ ଯୋଗୁଁ ଦେଶକୁ ସ୍ୱାଧୀନତା ମିଳିଛି, ସେମାନଙ୍କ ବିରୋଧରେ ଏଭଳି ବୟାନ ନିନ୍ଦନୀୟ ବୋଲି ଏକନାଥ ସିନ୍ଦେ କହିଛନ୍ତି ।

ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳର ନେତାଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ ଦେଇଥିଲେ । କିନ୍ତୁ ଏହି ବୈଠକରେ ଉଦ୍ଧବ ଠାକରେ ଯୋଗ ଦେଇନଥିଲେ । କୁହାଯାଉଛି, ସାବରକରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଉଦ୍ଧବ ଏହି ବୈଠକରୁ ଦୂରେଇ ରହିଥିଲେ । ଯଦି ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ପାଇଁ କ୍ଷମା ନମାଗନ୍ତି, ତେବେ ଆଗାମୀ ଦିନରେ ଉଦ୍ଧବ ଗୋଷ୍ଠୀ ବଡ଼ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି ।