ବିଶ୍ୱର ରହସ୍ୟମୟ ଗାଁ । ଏଠି ଜନ୍ମବେଳେ ସବୁ ଠିକ୍ କିନ୍ତୁ ପରେ ହୋଇଯାନ୍ତି ଦୃଷ୍ଟିହୀନ । କେବଳ ମଣିଷ ନୁହେଁ ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି

1,554

କନକ ବ୍ୟୁରୋ : ଦୁନିଆରେ ଅନେକ ରହସ୍ୟମୟ ଜିନିଷ ରହିଛି ଯାହା ସମ୍ପର୍କରେ ଆପଣ ଶୁଣିଥିବେ ନିଶ୍ଚୟ । ଯାହା ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ ସତ ନ ଲାଗିପାରେ ମାତ୍ର ଏହା ସତ୍ୟ । ଆଜି ବି ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହି ସ୍ଥାନ ଗୁଡିକରେ ରହିଛି ଅନେକ ସମାଧାନ ହୋଇନଥିବା ପ୍ରଶ୍ନ । ଯାହାର ରହସ୍ୟ ଆଜି ବି ବୈଜ୍ଞାନିକମାନଙ୍କୁ ଚକିତ କରୁଛି । ଏମିତି କିଛି ସ୍ଥାନର ରହସ୍ୟ ଯାହାକୁ ନେଇ ଆପଣମାନେ ନିଶ୍ଚୟ ଭାବିବେ ଏହା କିପରି ସମ୍ଭବ? ଆମ ବିଶ୍ୱରେ ଏମିତି ଏକ ଗାଁ ଯାହା ରହସ୍ୟଘେରରେ । ଏହି ଗାଁର ପ୍ରତ୍ୟେକ ମଣୀଷ, ପଶୁ ଏବଂ ପକ୍ଷୀ ଅନ୍ଧ । ଏହି ଗାଁକୁ ଦୃଷ୍ଟିହୀନ ଗାଁ ମଧ୍ୟ କୁହାଯାଏ । ଏହା ପଛର ଥିବା କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ..

ମେକ୍ସିକୋର ଘଞ୍ଚ ଜଙ୍ଗଲ ଭିତରେ ଏକ ଗାଁ ଯାହା ଅନ୍ୟକୁ ବିସ୍ମୟ ଜଡ଼ିତ କରିଦିଏ । ମେକ୍ସିକୋର ଟିଲଟେପକ୍ ଗ୍ରାମ ଯାହା ଦୃଷ୍ଟିହୀନ ଗାଁ ଭାବେ ବେଶ୍ ଜଣାଶୁଣା । ଏଠାରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ‘ଜାପୋଟେକ’ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ପିଲାମାନେ ଭଲ ଭାବରେ ଜନ୍ମ ହୋଇଥାନ୍ତି ମାତ୍ର ଜନ୍ମର କିଛି ଦିନ ମଧ୍ୟରେ ସେମାନଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଇଥାଏ । ଏହା ବିଶ୍ୱର ପ୍ରଥମ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ବାସ କରୁଥିବା ଜନଜାତିର ଲୋକମାନେ ଅଭିଶାପିତ ବୃକ୍ଷକୁ ସେମାନଙ୍କର ଦୃଷ୍ଟିହୀନ ହେବାର କାରଣ ବୋଲି ବିବେଚନା କରନ୍ତି । ଗ୍ରାମରେ ବହୁବର୍ଷଧରି ରହିଥିବା ‘ଲାଭାଜୁଏଲା’ ନାମକ ଏକ ଗଛକୁ ଦେଖିଲା ପରେ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାଉଥିବା ବିଶ୍ୱାସ କରାଯାଏ । ବର୍ଷ ବର୍ଷ ଧରି ଗାଁରେ ଏହି ଗଛ ରହିଆସିଛି ।

ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ , ଏହି ଗ୍ରାମରେ ଏକପ୍ରକାରର ବିଷାକ୍ତ ମାଛି ଦେଖିବାକୁ ମିଳେ । ଏହି ଗ୍ରାମରେ ଦେଖାଯାଉଥିବା ଏହି ବିଷାକ୍ତ ମାଛି କାମୁଡିବା ଦ୍ୱାରା ଲୋକମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଏ । ମେକ୍ସିକୋ ସରକାର ଏ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସରକାର ବିଫଳ ହୋଇଥିଲେ । କାରଣ ଏଠାରେ ରହୁଥିବା ଜନଜାତି ମାନଙ୍କୁ ସରକାର ସ୍ଥାନାନ୍ତରିତ କରିଥିବା ଜଳବାୟୁ ସହ ଏହି ଜନଜାତିର ଲୋକେ ଖାପଖୁଆଇ ଚଳି ନପାରିବାରୁ ତାଙ୍କୁ ପୁଣିଥରେ ଆଣି ସେହିସ୍ଥାନରେ ଛାଡି ଦିଆଯାଇଥିଲା । ଏହି ଜନଜାତିର ଲୋକେ ଏବେ ନିଜେ ନିଜର ଯତ୍ନ ନେଉଛନ୍ତି । ତେବେ ଏହି ଲୋକମାନେ ସାଧାରଣ ଜୀବନଶୈଳୀଠାରୁ ଢେର ପଛରେ ରହିଛନ୍ତି । ଏହି ଗାଁରେ ପାଖାପାଖି ୭୦ଟି କୁଡିଆ ଘର ରହିଛି । ଯେଉଁଠି ପ୍ରାୟ ୩୦୦ ଲୋକ ବାସ କରନ୍ତି । ସବୁଠାରୁ ବଡ କଥା ହେଉଛି ଏଠାରେ କୌଣସି ଘରେ ଝରକା ନାହିଁ । ମାତ୍ର ବିଶ୍ୱାସ ଅଛି କି ଏହି ଗାଁରେ କିଛି ଲୋକଙ୍କ ଦୃଷ୍ଟି ଶକ୍ତି ଠିକ୍ ରହିଛି , ଯେଉଁ କାରଣରୁ ବାକି ଲୋକମାନେ ଏଠାରେ ରହିବାକୁ ସକ୍ଷମ ଅଟନ୍ତି ।