ଭାରତ ଆସିବ ଆମେରିକାର ଜେମ୍ସ ବଣ୍ଡ । ଶତ୍ରୁ ପାଇଁ କାଳ ସାଜିବ ଏହି ଘାତକ ଡ୍ରୋନ୍, ଗୋଟି ଗୋଟି କରି ନିପାତ ହେବେ ଶତ୍ରୁ

820

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଧିରେ ଧିରେ ମଜବୁତ ହେବାରେ ଲାଗିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ସେନାରେ ସାମିଲ କରାଯାଉଛି । ବଢିଚାଲିଛି ଭାରତୀୟ ସେନାର ଶକ୍ତି । ଆଉ ଏହାରି ମଧ୍ୟରେ ଖୁବଶୀଘ୍ର ଆଉ ଏକ ଘାତକ ଅସ୍ତ୍ର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ଯାହା ଶତ୍ରୁ ପାଇଁ କାଳ ସାଜିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କିଛି ଦିନ ମଧ୍ୟରେ ଆମେରିକା ଗସ୍ତରେ ଯାଇପାରନ୍ତି । ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଭେଟିପାରନ୍ତି । ଆଉ ଆମେରିକାର ଜେମ୍ସ ବଣ୍ଡ କୁହାଯାଉଥିବା ଏମକ୍ୟୁ-୯ ପ୍ରେଡେଟର ଡ୍ରୋନ୍ କିଣିବା ପାଇଁ ଘୋଷଣା କରିପାରନ୍ତି । ଏହି ଡ୍ରୋନ୍ ସାହାଯ୍ୟରେ ଅଲକାଇଦାର ସରଗନା ଅୟମାନ୍ ଅଲ-ଦବାହିରକୁ ନିହତ କରାଯାଇଥିଲା ।

ଏମକ୍ୟୁ-୯ ପ୍ରିଡେଟର ଡ୍ରୋନ୍ ଶତ୍ରୁ ଉପରେ ତିଖ୍ନ ନଜର ରଖିଥାଏ । ଦରକାର ପଡିଲେ ମିସାଇଲ୍ ଦ୍ୱାରା ଆକ୍ରମଣ କରିଥାଏ । ଏହି ଡ୍ରୋନରେ ଆର-୯-ଏକ୍ସ ହେଲଫାୟାର୍ ମିଜାଇଲ୍ ଲାଗିଥାଏ । ଯାହା ଆକାଶ ମାର୍ଗରୁ ଶତ୍ରୁ ଉପରେ ବର୍ଷିବା ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଥାଏ । ଆମେରିକା ଏହାକୁ ହଂଟର-କିଲର କହିଥାଏ ।

ତେବେ ଏହି ଏମକ୍ୟୁ-୯ ପ୍ରିଡେଟର ଡ୍ରୋନକୁ ଆମେରିକାର କମ୍ପାନୀ ‘ଜେନେରାଲ୍ ଆଟୋମିକ୍’ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଛି । ଏହି ଡ୍ରୋନକୁ ଯେକୌଣସି ମିଶନରେ ବି ସାମିଲ କରାଯାଇପାରିବ । ଏହି ଘାତକ ଡ୍ରୋନକୁ ସର୍ବିଲାନ୍ସ, ଗୁପ୍ତ ସୂଚନା ଏକାଠି କରିବା ଏବଂ ଶତ୍ରୁ ଠିକଣା ଉପରେ ଲୁଚିକରି ଆକ୍ରମଣ କରିବାରେ ବ୍ୟବହାର କରାଯାଇଥାଏ ।

ଯଦି ଆମେ ଏହାର ମାରକ କ୍ଷମତା ବାବଦରେ କହିବା ତେବେ, ଏହି ଡ୍ରୋନ୍ ସର୍ବାଧୀକ ଉଚ୍ଚତାରେ ଉଡିବା ସହିତ ଅଧିକ ସମୟ ଧରି ଉଡିବାର କ୍ଷମତା ରଖିଥାଏ । ଏହାର ରେଞ୍ଜ ୧୯୦୦ କିଲୋମିଟର, ଏହା ନିଜ ସହିତ ୧୭୦୦ କିଲୋ ଓଜନର ଯୁଦ୍ଧାସ୍ତ୍ର ନେବାରେ ସକ୍ଷମ । ଏହା ରିମୋଟ୍ ସାହାଯ୍ୟରେ ଚାଲିଥାଏ । ଏହାକୁ ଚଲାଇବା ପାଇଁ ଦୁଇଟି କମ୍ପୁଟର ଅପରେଟରଙ୍କ ଆବଶ୍ୟକତା ପଡିଥାଏ । ଏହି ଡ୍ରୋନର ଲମ୍ବ ୩୬.୧ଫୁଟ୍, ପଙ୍ଖର ଲମ୍ବ ୬୫.୭ଫୁଟ୍, ଉଚ୍ଚତା ୧୨.୬ଫୁଟ୍ ହୋଇଥିବା ବେଳେ ଏହାର ଓଜନ ୨୨୨୩ କିଲୋଗ୍ରାମ୍ ରହିଛି । ଏହି ଡ୍ରୋନରେ ୧୮୦୦ କିଲୋଗ୍ରାମର ଇନ୍ଧନ ପଡିବାର କ୍ଷମତା ରହିଥାଏ । ସେହିଭଳି ଏହାର ଗତି ୪୮୨ କିମି ପ୍ରତି ଘଣ୍ଟା ରହିଛି । ଏହା ୫୦ ହଜାର ଫୁଟ୍ ଉପରେ ଉଡିବା ସହିତ ଶତ୍ରୁ ଉପରେ ମିସାଇଲ୍ ଆକ୍ରମଣ କରିପାରିଥାଏ ।

ଏଥିରେ ୪ଟି ଏଜିଏମ୍ -୧୧୪ ହେଲି ଫାୟାର୍ ମିଜାଇଲ୍ ଲାଗି ରହିଥାଏ । ଏହା ସହିତ ଏହି ଡ୍ରୋନରେ ଲେଜର ଗାଇଡେଡ୍ ଜିବିୟୁ-୧୨ ବମ୍ ଲଗାଯାଇଥାଏ । ଏହାଛଡା ଏଥିରେ ବ୍ରିମ୍ଷ୍ଟୋନ୍ ମିଜାଇଲବି ଲଗାଯାଇଥାଏ । ଏଥିରେ ଲାଗିଥିବା ବମ୍ ଏବଂ ମିଜାଇଲ୍ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯାଇଥାଏ । ସବୁଠୁ ବଡ କଥା ହେଉଛି ଏଥିରେ ଏକ ସ୍ୱତନ୍ତ୍ର ରାଡାର ସିଷ୍ଟମ୍ ରହିଛି । ଯାହା ଶତ୍ରୁକୁ ଖୋଜି ଖୋଜି ଶତ୍ରୁ ଉପରେ ଆକ୍ରମଣ କରିବାରେ ସହାୟକ ହୋଇଥାଏ । ତେବେ ଏହି ଡ୍ରୋନ୍ ଭାରତୀୟ ସେନାରେ ସାମିଲ ହେଲେ ଶତ୍ରୁର ସବୁ ଷଡଯନ୍ତ୍ର ପଣ୍ଡ ହେବ । ଆଉ ଗୋଟି ଗୋଟି କରି ଶତ୍ରୁଙ୍କୁ ନିପାତ କରାଯାଇପାରିବ