ସୁପ୍ରିମକୋର୍ଟରେ ପହଞ୍ଚିଲା ମୋରବୀ ଝୁଲାପୋଲ ଦୁର୍ଘଟଣା ମାମଲା । ନିମ୍ନମାନର କାମ ଓ ଘଣ୍ଟା ତିଆରି କରୁଥିବା କମ୍ପାନୀକୁ ଟେଣ୍ଡର ଦେବାକୁ ନେଇ ଉଠିଲା ଅଭିଯୋଗ

100

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଁଚିଲା ମୋରବୀ ଝୁଲାପୋଲ ଦୁର୍ଘଟଣା ମାମଲା । କୋର୍ଟରେ ମାମଲାକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଆବେଦନ ଉପରେ ନଭେମ୍ବର ୧୪ରେ ଶୁଣାଣୀ କରାଯିବ । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଉଦୟ ଊମେଶ ଲଲିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣୀ କରିବେ । ବିନା ଟେଣ୍ଡରରେ ଏଲଇଡି ବଲବ ନିର୍ମାଣକାରୀ ସଂସ୍ଥା ଅଜନ୍ତା ଓ ଘଂଟା ମରାମତି କମ୍ପ।।ନୀ ଓରେଭାକୁ ପୋଲର ମରାମତି ପାଇଁ ଦାୟିତ୍ୱ ଦିଆଯାଇଥିଲା । ଶତାୟୁ ପୋଲର ରକ୍ଷାଣବେକ୍ଷଣ ଓ ମରାମତି ପାଇଁ ଓରେଭା କମ୍ପାନୀ ସହ ମୋରବୀ ନଗର ନିଗମ ଚୁକ୍ତି କରିଥିଲା । ୨୦୩୭ ମସିହା ପର୍ଯ୍ୟନ୍ତ ଏହି କମ୍ପାନୀ ପୋଲର ରକ୍ଷାବେକ୍ଷଣ ଦାୟିତ୍ୱ ନେଇଥିଲା ।

୭ମାସ ପୂର୍ବରୁ ପୋଲର ମରାମତି ପାଇଁ କମ୍ପାନୀକୁ ୨ଶହ କୋଟି ଟଙ୍କା ଦିଆଯାଇଥିଲା । ଅଭିଯୋଗ ହୋଇଛି କି କମ୍ପାନୀ ପୋଲର ସଠିକ ଭାବେ ମରାମତି କରିନଥିଲା । ମାମଲାରେ ଠିକା କମ୍ପାନୀ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି ଓ ୯ଜଣଙ୍କୁ ଗିରଫ କରାଯାଇଛି । ଓରେଭା କର୍ତୁପକ୍ଷ ଅନେକ ଗାଇଡଲାଇନ ଉଲ୍ଲଂଘନ କରିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ପୋଲର କ୍ଷମତାଠୁ ଅଧିକ ଲୋକଙ୍କ ଭିଡ ସେଠାରେ ଜମିଥିଲା । ତେଣୁ ଭାରସାମ୍ୟ ହରାଇ ଝୁଲାପୋଲ ଛିଡିଯାଇଥିଲା । ସୂଚନା ଅନୁସାରେ ପୋଲରେ ଉଭୟ ମୁଣ୍ଡରେ ଛିଡା ହୋଇଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି । କାରଣ ଏଠାରେ ପାଣି କମ ଓ ପଥରଖଣ୍ଡ ଅଧିକ ରହିଥିବା କୁହାଯାଉଛି ।