ଗ୍ରାହକ ବେଶରେ ଦେହ ବ୍ୟବସାୟର ପର୍ଦ୍ଦାଫାଶ କଲେ ବ୍ରହ୍ମପୁର ଏସପି। ତିନି ବଙ୍ଗୀୟ ଯୁବତୀଙ୍କ ସହ ୬ଦଲାଲ ଓ ୬ ଗ୍ରାହକ ଗିରଫ।

372

କନକ ବ୍ୟୁରୋ: ବିଳମ୍ବିତ ରାତିରେ ଜନଗହଳିପୂର୍ଣ୍ଣ ଛକରେ ବୁଲୁଛନ୍ତି ଜଣେ ବାବୁ । ପରେ ଗାଡି ରଖି ଏକ ବିଲଡିଂ ଭିତରକୁ ପ୍ରବେଶ କରୁଛନ୍ତି । ତଳେ ବାଇକ ସୋରୁମ୍, ଉପରେ ତୁଳସୀ ଗେଷ୍ଟ ହାଉସ ରହିଛି । କିନ୍ତୁ ବାବୁ ଜଣଙ୍କ ଗେଷ୍ଟ ହାଉସରେ ପ୍ରବେଶ କରିଥିଲେ । ଯେଉଁଠି ବିଳମ୍ବିତ ରାତିରେ ଚାଲିଥିଲା ଦେହ ବ୍ୟବସାୟ । ଘଟଣାସ୍ଥଳରୁ ୬ ଜଣ ଏଜେଣ୍ଟ, ୬ ଜଣ ଗ୍ରାହକ ଏବଂ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଯୁବତୀ ଜଣଙ୍କୁ ଛାଡି ବାକି ୧୨ ଜଣଙ୍କୁ ଗିରଫ କରାଯାଇଛି । କ୍ୟାମେରା ପଡିବା ପରେ କିଏ ମୁହଁ ଲୁଚାଉଛି ତ ଆଉ କିଏ ନିଜ ପରିଚୟ ଦେବାକୁ ସାହସ କରିପାରୁନି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ବାବୁ ଜଣଙ୍କ ବୁଲେଟରେ ଆସି ଗ୍ରାହକ ବେଶରେ ଗେଷ୍ଟ ହାଉସରେ ପ୍ରବେଶ କରିଥିଲେ ସେ ବ୍ରହ୍ମପୁରର ଏସପି ଶ୍ରବଣ ବିବେକ ଏମ୍ । ଯିଏକି ନିଜେ ଗ୍ରାହକ ବେଶରେ ଆସି ସେକ୍ସ ରାକେଟର ପର୍ଦାଫାଶ କରିଛନ୍ତି ।

ସୋମବାର ବିଳମ୍ବିତ ରାତିରେ ଚଢାଉ କରି ବ୍ରହ୍ମପୁର ପୋଲିସ ପ୍ରଥମେ ଏହି ୧୫ ଜଣଙ୍କୁ ଅଟକ ରଖିଥିଲା । ଆଉ ପଚରାଉଚରା କରିବା ପରେ ୩ ଯୁବତୀଙ୍କୁ ୱାନ ଷ୍ଟପ ସେଣ୍ଟରରେ ରଖାଯାଇଛି । ଆଉ ଅଟକ ରହିଥିବା ବ୍ରହ୍ମପୁରର ୬ ଜଣ ଏଜେଣ୍ଟ, ୬ ଜଣ ଗ୍ରାହକଙ୍କୁ ଗିରଫ କରିଛି । ଯାହାର କିଙ୍ଗପିନ୍ ଗୋପୀ ବେହେରା ବୋଲି ଜଣାପଡିଛି । ସେ କୋଲକାତାରୁ ଦେହଜୀବୀଙ୍କୁ ଆଣି ଏଠାରେ ଦେହ ବ୍ୟବସାୟ କରୁଥିବା ସୂଚନା ମିଳିଛି ।

ବ୍ରହ୍ମପୁରର ଟାଟା ବେଞ୍ଜ ଛକରେ ଏକ ଟ୍ରାଫିକ ପୋଷ୍ଟ ରହିବା ସହିତ ପୋଲିସର ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ରହିଛି । ଆଉ ଦୀପ ତଳ ଅନ୍ଧାର ଭଳି ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ । ଭାବିଥିଲେ ପୋଲିସ ଏପରି ବ୍ୟବସାୟର କୌଣସି ଟେର ପାଇବନି । କିନ୍ତୁ ଏସପି ଶ୍ରବଣା ବିବେକ କାହାକୁ କୌଣସି ସୂଚନା ନଦେଇ ନିଜେ ଗ୍ରାହକ ବେଶରେ ଗେଷ୍ଟ ହାଉସରେ ପ୍ରବେଶ କରିଥିଲେ । ପରେ ଗେଷ୍ଟ ହାଉସରେ ଥିବା ସମସ୍ତଙ୍କୁ ଅଟକ ରଖି ପରେ ଗୋଷାଣୀ ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଘଟଣା ବାବଦରେ ସୂଚନା ଦେଇଥିଲେ ।