କନକ ବ୍ୟୁରୋ: ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ। ସୋମବାର ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ମୌସୁମୀ ଫେରିଥିଲା। ଏହାର ୨୪ ଘଣ୍ଟା ପରେ ଅର୍ଥାତ୍ ଗତକାଲି ପୂର୍ବାହ୍ନ ସୁଦ୍ଧା ସାରା ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପରେ ଉତ୍ତର ପୂର୍ବ ମୌସୁମୀ ବାୟୁ ଓଡ଼ିଶା ସମେତ ଦକ୍ଷିଣ ଭାରତରେ ସକ୍ରିୟ ହୋଇଛି। ଆଜିଠାରୁ ପୂରୁବା ପବନ ବୋହିବ। ତେଣୁ ଏବେ ରାତିର ତାପମାତ୍ରା କମିବ ନାହିଁ। ଅପରିବର୍ତ୍ତିତ ରହିବ। ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ।
୧୭ରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓଡ଼ିଶା, ୧୮ ତାରିଖରେ ପଶ୍ଚିମ ଓଡ଼ିଶା(ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶା)ରେ ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ। ତେବେ ଆସନ୍ତା ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶା, ବାକି ଅଞ୍ଚଳରେ ୨୬ ଓ ୨୭ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ମୁଗ, ବିରି ଆଦି ଫସଲ ପାଚିଲା ଅବସ୍ଥାକୁ ଆସି ଯାଇଥିଲେ ଅତିଶୀଘ୍ର ଅମଳ କରି ଦିଅନ୍ତୁ। ବର୍ଷା ପରେ ଅଣଧାନ ରବି ଫସଲ ଲଗାଇବା ପାଇଁ ପ୍ରସ୍ତୁତ ହୋଇ ଥାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।