ବିଜେପିକୁ ବାଏ ବାଏ କଲେ ଦାମ । ଦଳ ପାଇଁ ଅଲୋଡ଼ା ଓ ଅନାବଶ୍ୟକ ଅନୁଭବ କରି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

641

କନକ ବ୍ୟୁରୋ: ବିଜେପିକୁ ଆଉ ଏକ ଝଟକା । ବିଜେପିକୁ ବାଏ ବାଏ କଲେ ଦାମ , ବରିଷ୍ଠ ନେତା ଦାମୋଦର ରାଉତ । ଏନେଇ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଆଉ ଇସ୍ତଫାେ ପତ୍ରରେ କ୍ଷୋଭ ପ୍ରକାଶ କରି ଦାମ କହିଛନ୍ତି କି, ଗତ ସାଧାରଣ ନିର୍ବାଚନ ପରେ ପରେ ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ନିଷ୍ପତି ପ୍ରକ୍ରିୟାରେ ମୋର ଉପସ୍ଥିିତି ବା ସଂପୃକ୍ତି ଦଳ ଆବଶ୍ୟକ କରୁନଥିବା ସେ ଅନୁଭବ କରିଛନ୍ତି । ଯାହାକି ତାଙ୍କ ମାନସିକ ଅସନ୍ତୁଳନ ସୃଷ୍ଟି କରିଛି ।

ଏପରିକି ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତଭାବେ ରାଜ୍ୟବାସୀଙ୍କ ସେବାରେ ଜୀବନ ବିତାଇବି । ତେଣୁ ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଆଉ ଦଳ କିମ୍ବା ନେତୃତ୍ୱ ବିରୋଧରେ ମୋ କୌଣସି ଅସୂୟା କି ଅଭିଯୋଗ ନଥିବା ଇସ୍ତଫା ପତ୍ରରେ ସ୍ପଷ୍ଟ କରିଛନ୍ତି ଦାମ ।

ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ମାର୍ଚ୍ଚ ୧୪ ତାରିଖରେ ‘ପଦ୍ମ’ ଧରିଥିଲେ ଦାମ । ଆଉ ଏହାକୁ ନେଇ ବିଜେପି କ୍ୟାମ୍ପ ମଧ୍ୟ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା । ସେଥିପାଇଁ ଦଳ ତାଙ୍କୁ ଟିକେଟ୍ ଦେଇ ପ୍ରାର୍ଥୀ କରାଇଥିଲା, ହେଲେ ନିର୍ବାଚନରେ ଦାମ ପରାଜତି ହେବା ପରେ ପରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଏପରିକି ନିକଟରେ ଦାମ ବିଜେପି ବିରୋଧରେ ବିଷୋଦଗାର କରି ଦଳ ତାଙ୍କୁ କୋଣଠୋସା କରିଥିବା ଅଭିଯୋଗ ମଧ୍ୟ କରିଥିଲେ ଦାମ ରାଉତ । ନିର୍ବାଚନ ପୂର୍ବରୁ ହେଲିକପ୍ଟରରେ ବୁଲାଇଲେ, ପରେ ପଚାରିଲେନି ବୋଲି ଦାମଙ୍କ ପାଟିରୁ ଶୁଣିବାକୁ ମିଳୁଥିଲା ।

ଅନ୍ୟପଟେ କିଛିଦିନ ତଳେ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଘୋଷଣା କରିଥିବା ୪୦ ଜଣିଆ ପ୍ରଚାର ତାଲିକାରେ ଦାମଙ୍କ ନାଁ ନଥିବା ଦେଖିବାକୁ ମିଳିଥିଲା । ଏହାପରେ ଦାମ ରାଉତ ଅସନ୍ତୋଷ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ପ୍ରଥମେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ, ନିର୍ବାଚନ ରାଜନୀତିରୁ ସେ ସନ୍ନ୍ୟାସ ନେଇଥିବା ମଧ୍ୟ ଘୋଷଣା କରିଥିଲେ । ଆଉ ଯାହା ପରେ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା, ଦାମ ଖୁବ୍ ଶୀଘ୍ର ପଦ୍ମକୁ ପର କରିବାକୁ ଯାଉଛନ୍ତି । ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଦାମ ବିଜେପିକୁ ବାଏ ବାଏ କହିଛନ୍ତି । ତେବେ ବିଜେପୁର ଉପ-ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ଆଉ ଏକ ଝଟକା ବିଜେପିକୁ ଲାଗିଛି । କାରଣ ଗତ ୧୨ ତାରିଖରେ ଅଶୋକ ବିଜେପିକୁ ‘ଶୋକ’ ଦେଇଥିବାବେଳେ ଏବେ ଦାମ ରାଉତଙ୍କ ଇସ୍ତଫା ଦଳକୁ ସମସ୍ୟାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।