ଜନତାଙ୍କ ହୃଦୟ ଜିଣି ଲଗାତାର ୫ଥର ରାଜ୍ୟର ରାଜମୁକୁଟ ପିନ୍ଧିଛନ୍ତି ବିଜୁଙ୍କ ଦାୟାଦ । ସେଥିପାଇଁ ତ ଗାଁରୁ ଗ୍ଲୋବାଲ ଖାଲି ନବୀନ, ନବୀନ ଆଉ ନବୀନ ।

ରାଜନୀତିକୁ ଆସିବା ପୂର୍ବରୁ ଓଡ଼ିଶାରେ ନବୀନଙ୍କ ପରିଚୟ ଥିଲା ଜନନେତା ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ । ଓଡ଼ିଶା ବାହାରେ ଜଣେ ଲେଖକ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ । ହେଲେ ରାଜନୀତିରେ ପ୍ରବେଶ କରିବା ପରେ ଦେଶର ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ନବୀନ । ସେ ଏପରି କିଛି କାର୍ଯ୍ୟ କରି ଦେଖାଇଛନ୍ତି, ଯାହା ତାଙ୍କୁ ଅନ୍ୟ ନେତାଙ୍କ ଠାରୁ ଭିନ୍ନ କରିଛି ।

735

କନକ ବ୍ୟୁରୋ: ନବୀନ ଦେଶର ରାଜନୀତିରେ ଏପରି ଜଣେ ରାଜନେତା, ଯିଏ କ୍ରମାଗତ ଭାବେ ୫-୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି । ଓଡ଼ିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏକ ନାଟକୀୟ ଘଟଣାକ୍ରମରେ ରାଜନୀତିରେ ପ୍ରବେଶ କରିବା ପରେ ବିଜୁ ଲିଗାସିକୁ ବେଶ୍ ଆଗକୁ ନେଇଛନ୍ତି ନବୀନ । ରାଜ୍ୟର ବିକାଶ ଲାଗି ତାଙ୍କର ଦୂରଦୃଷ୍ଟି ଏବଂ ଅସହାୟ, ଅବହେଳିତ ବର୍ଗ ପ୍ରତି ଥିବା ସମ୍ବେଦନଶୀଳତା ଯୋଗୁଁ ଦେଶର ଏକ ନିଆରା ରାଜନୈତିକ ବ୍ୟକ୍ତିତ୍ୱ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ନବୀନ ।

୧୯୯୯ ମହାବାତ୍ୟାରେ ହଜାର ହଜାର ଲୋକଙ୍କ ଅକାଳ ମୃତ୍ୟୁ ତାଙ୍କୁ ଏପରି ବିଚଳିତ କରିଥିଲା ଯେ ରାଜ୍ୟରେ ଏହାର ପୁନରାବୃତି କରାଇ ଦେଇନାହାନ୍ତି ନବୀନ । ଫାଇଲିନ୍, ତିତ୍ଲି ଏବଂ ନିକଟରେ ଧ୍ୱଂସଲୀଳା ରଚିଥିବା ଫୋନି ଭଳି ବଡ଼ ବାତ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି ତାଙ୍କ ସରକାର । ଫୋନି ମାଡ଼ ହେବା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ଦେଶ ଓ ବିଦେଶରେ ନବୀନ ପ୍ରଶଂସିତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କର ଭୂମିକାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ନାସନାଲ ଜିଓଗ୍ରାଫି ଭଳି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଟିଭି ଚ୍ୟାନେଲରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି ।

ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ବଳିଷ୍ଠ ଯୁକ୍ତି ଓ ଆନ୍ତରିକ ଉଦ୍ୟମ ଯୋଗୁଁ ସାରା ଦେଶରେ ବେଶ ପ୍ରଶଂସିତ ହୋଇଛନ୍ତି ନବୀନ । ଏପରିକି ଗତ ସାଧାରଣ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୭ଟି ରେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ନବୀନ । ସେହିପରି ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ନୀତି ହିଁ ଦେଶର ବିକାଶକୁ ଆଗେଇ ନେବ ଏବଂ ଗରିବ ମୁହଁରେ ହସ ଫୁଟାଇବ ବୋଲି ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ନବୀନ ।

ଜଣେ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଲୋକପ୍ରିୟ ରାଜନେତା ଭିତରେ ରହିଛି ଜଣେ ଲେଖକର ପ୍ରାଣ । କଲମ ଧରି ନୂଆ ସୃଜନ ସୃଷ୍ଟି କରିବାରେ ସେ ସିଦ୍ଧହସ୍ତ । ‘ଏ ସେକେଣ୍ଡ ପାରାଡାଇଜ’, ‘ଦି ଗାର୍ଡେନ ଅଫ ଲାଇଫ’, ‘ଡେଜର୍ଟ କିଙ୍ଗଡମ୍’ ହେଉଛି ତାଙ୍କର ଅନବଦ୍ୟ କୃତି । ଜଣେ ଲେଖକ ଭାବେ ତାଙ୍କର ଯେପରି ଖ୍ୟାତି ରହିଛି, ସେମିତି ସେ ଜଣେ ବିଦଗ୍ଧ ପାଠକ । କଳାସଂସ୍କୃତି, ଜୀବନଧାରା ଓ ଔଷଧୀୟ ଗୁଳ୍ମ ସଂପର୍କରେ ଗଭୀର ଅଧ୍ୟୟନ ରହିଛି ତାଙ୍କର ।