ଲୋକସଭା ଅଧ୍ୟକ୍ଷ ଆସନରେ ବସିବେ ନାହିଁ ବାଚସ୍ପତି ଓମ୍ ବିର୍ଲା । ଜାଣନ୍ତୁ କାହିଁକି କହିଲେ ଏଭଳି କଥା

13,752

କନକ ବ୍ୟୁରୋ : ଲୋକସଭାରେ ମଙ୍ଗଳବାର ଦିନ ଘଟିଥିବା ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ଜାହିର କହିଛନ୍ତି । ସେ କହିଛନ୍ତି କି ସଂସଦ ଭବନ ଭିତରେ ରହିଥିଲେ ବି ଅଧ୍ୟକ୍ଷ ଆସନରେ ବସିବେ ନାହିଁ । ଲୋକସଭା ଅଧ୍ୟକ୍ଷ ସରକାରୀ ଦଳର ସାଂସଦ ଓ ବିରୋଧୀ ସାଂସଦଙ୍କ ଉପରେ ନିଜର ଅସନ୍ତୋଷ ଜାହିର କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବାଚସ୍ପତି ଓମ୍ ବିର୍ଲା କହିଛନ୍ତି କି, ଯେପର୍ଯ୍ୟନ୍ତ ଗୃହରେ ଅନୁଶାସନ ଫେରି ନଆସିଛି ସେ ଅଧ୍ୟକ୍ଷ ଆସନରେ ବସିବେ ନାହିଁ । ସେ ଆହୁରି କହିଛନ୍ତି କି, ତାଙ୍କ ପାଇଁ ଗୃହର ଗାରିମା ସବୁଠୁ ଆଗରେ । ସଂସଦର ମର୍ଯ୍ୟାଦା ବଞ୍ଚାଇ ରଖିବା ସମସ୍ତଙ୍କର କାମ । ହେଲେ ସଂସଦରେ କିଛି ସଦସ୍ୟଙ୍କ ବ୍ୟବହାର ଗୃହର ଉଚ୍ଚ ପରମ୍ପରାର ବିପରିତ ବୋଲି ସେ କହିଛନ୍ତି ।

ଓମ୍ ବିର୍ଲା ତାଙ୍କର ନିଷ୍ପତ୍ତିକୁ ବିରୋଧୀ ଓ ଶାସକଦଳର ସାଂସଦମାନଙ୍କୁ ଅବଗତ କରାଇଛନ୍ତି । କହିରଖୁ କି ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ଆସନ ନିକଟକୁ କାଗଜ ଖଣ୍ଡମାନ ଫୋପାଡିଥିଲେ ।

ମଙ୍ଗଳବାର ଦିନ ବିରୋଧୀ ସାଂସଦଙ୍କ ଏଭଳି ବ୍ୟବହାରକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେ କହିଛନ୍ତି କି ମଙ୍ଗଳବାରଦିନ ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ ଉପସ୍ଥାପନ ବେଳେ ବିରୋଧୀ ସାଂସଦମାନେ ଯେଭଳି ହଙ୍ଗାମା କଲେ ତାହା ଦ୍ୱାରା ସଂସଦରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ।