କଂଗ୍ରେସ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ : କଂଗ୍ରେସ ନଥିଲେ କ’ଣ ହୋଇଥାନ୍ତା ତାର ଦେଲେ ତାଲିକା

କହିଲେ ଘଟିନଥାନ୍ତା ଏମରଜେନ୍ସି ଓ ଶିଖ ଦଙ୍ଗା ଭଳି ଘଟଣା; ରାହୁଲଙ୍କ ପ୍ରତିକ୍ରିୟା, ଭୟ କରି ଏଭଳି ବୟାନ ଦେଇଛନ୍ତି ମୋଦି

108

ସଂସଦରେ ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି । କରୋନା ସଂକ୍ରମଣଠୁ ଆରମ୍ଭ କରି ଦରଦାମ ବୃଦ୍ଧି, ଶିଖ ହତ୍ୟାକାଣ୍ଡ, କଶ୍ମୀର ପଣ୍ଡିତଙ୍କ ପଳାୟନ, ଜରୁରୀକାଳୀନ ପରିସ୍ଥିତି, ଦାରିଦ୍ର୍ୟତା ପରି ସମସ୍ୟା ପାଇଁ ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ । କେବଳ ସେତିକି ନୁହେଁ ଦଳକୁ ତେରଛା ବାଣ ମାରି ପ୍ରଧାନମନ୍ତ୍ରୀ କହିଛନ୍ତି କି ଯଦି କଂଗ୍ରେସ ଦଳ ନଥାନ୍ତା ତେବେ ଦେଶ ଏଭଳି ସମସ୍ୟା ଦେଇ ଗତି କରିନଥାନ୍ତା ।

ମୋଦି କହିଛନ୍ତି, ସମସ୍ୟାର ସମାଧାନ କରିବାକୁ କଂଗେସ୍ର ପାଖରେ ସାମର୍ଥ୍ୟ ନ ଥିଲା । ଯଦି କଂଗ୍ରେସ ଶାସନରେ ନ ଥାନ୍ତା, ତେବେ ଦେଶ କେବେବି ଜରୁରୀକାଳୀନ ପରିସ୍ଥିତି ଦେଖି ନ ଥାନ୍ତା । ଶିଙ୍ଖ୍ ଦଙ୍ଗା ଅବା କାଶ୍ମୀର ପଣ୍ଡିତଙ୍କୁ ବିତାଡିତ ହେବାକୁ ପଡିନଥାନ୍ତା ବୋଲି ମୋଦି କହିଛନ୍ତି ।  ଯଦି ଦେଶରେ କଂଗ୍ରେସ ନ ଥାନ୍ତା ତେବେ ଦେଶରେ ଜାତିକୁ ନେଇ ରାଜନୀତି କରାଯାଇନଥାନ୍ତା  । କଂଗ୍ରେସ ପାଇଁ ଦେଶର ଜନସାଧାରଣ ପାଣି, ରାସ୍ତା, ବିଜୁଳି ଭଳି ସୁବିଧା ପାଇବା ପାଇଁ ଏତେ ସମୟ ଅପେକ୍ଷା କରିବାକୁ ପଡିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କଂଗ୍ରେସ ଦେଶର ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । କଂଗ୍ରେସର ଚିନ୍ତାଧାରା, ଭାବନା ଏବେ କେତକ ସହରୀ ନକ୍ସଲଙ୍କ ହାତକୁ ଚାଲି ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ ରାହୁଲ ଗାନ୍ଧୀ  କହିଛନ୍ତି କି କଂଗ୍ରେସର ସତକୁ ପ୍ରଧାନମନ୍ତ୍ରୀ ଭୟ କରି ଏଭଳି ବୟାନ ଦେଉଛନ୍ତି ।