ରାଜନୀତିରେ ମିଶନ୍ ଶକ୍ତି ମହିଳା । ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ସଚିବ ସୁଜାତା କାର୍ତ୍ତିକେୟନ୍ । କହିଲେ, ନେତୃତ୍ୱ ନେବାର ବଡ ପ୍ଲାଟଫର୍ମ ଏସଏଚଜି ।

167

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୋକସରେ ଥିବା, ମିଶନ ଶକ୍ତି ମହିଳାଙ୍କୁ ଶାସକ ଦଳ ରାଜନୀତିରେ ବ୍ୟବହାର କରାଯାଉଥିବା ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ବିରୋଧୀଙ୍କ ଅଭିଯୋଗ ଓ ଚର୍ଚ୍ଚା ଭିତରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରା ନଯାଉ । ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ ।

  • ରାଜନୀତିରେ ମିଶନ ଶକ୍ତି ମହିଳା
  • ‘ନେତୃତ୍ୱ ନେବାର ବଡ଼ ପ୍ଲାଟଫର୍ମ ଏସଏଚଜି’

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କୁ କୁହାଯାଇପାରିବନି ଯେ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଏହା ଏକ ପ୍ରକ୍ରିୟା । ମହିଳାମାନଙ୍କୁ ନେତୃତ୍ୱ ନେବା ପାଇଁ ମିଶନ ଶକ୍ତି ବଡ ପ୍ଳାଟଫର୍ମ ଦେଇଥାଏ । ସେହିପରି ଏସଏଚଜି ମହିଳା ମାନେ ରୁଣ ଦେଇ ସୁଧ ଆଦାୟ କରୁଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୁଜାତା ।

ମିଶନ ଶକ୍ତି ମହିଳା ରାଜନୀତିକୁ ଆସିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । ବାବୁରୁ କଂଗ୍ରେସ ନେତା ବନିଥିବା ବିଜୟ ପଟ୍ଟନାୟକ କହିଛନ୍ତି, ମହିଳାମାନେ ରାଜନୀତିକୁ ଆସିବାରେ କୌଣସି ଦ୍ୱିମତ ନାହିଁ । ସେ ତାକୁ ସ୍ୱାଗତ କରୁଛନ୍ତି । କିନ୍ତୁ ସରକାର ସେମାନଙ୍କୁ ବ୍ୟବହାର କରିବା, ସରକାରୀ ଅର୍ଥକୁ ନେଇ ରାଜନୀତି କରିବାକୁ ନିଶ୍ଚିତ ବିରୋଧ କରାଯିବ । ସେହିଭଳି ବିଜେପି ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ ସମାଲୋଚନା କରାଯାଇଛି ।

ବିରୋଧୀଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ମିଶନ ଶକ୍ତି ମହିଳାଙ୍କ ଭୋଟ ଅଧିକାଂଶ ସମୟରେ ଶାସକ ଦଳ ସପକ୍ଷରେ ଯାଉଥିବା କୁହାଯାଏ । ଆଉ ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ଠାରୁ ମିଶନ ଶକ୍ତି ମହିଳା ରାଜନୈତିକ ଦଳଙ୍କ ଫୋକସରେ ରହିଛନ୍ତି ।