ଗ୍ରୀଷ୍ମ ଆରମ୍ଭରୁ ଜଳୁଛି ଜଙ୍ଗଲ। ବର୍ଷା ଅପେକ୍ଷାରେ ବନ ବିଭାଗ

74

କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଟାଣ ଖରା ସହ ଶୁଖିଲା ଘାସ ଓ ଗଛରୁ ଝଡିଥିବା ଶୁଖିଲା ପତ୍ର ଯୋଗୁଁ ଦ୍ରୁତ ଗତିରେ ମାଡିଯାଉଛି ଜଙ୍ଗଲ ନିଆଁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ଢେଙ୍କାନାଳର ଜଙ୍ଗଲ, ଗଜପତି ଜିଲ୍ଲା ମୋହନା ନିକଟ ଜଙ୍ଗଲ, ଗଂଜାମର ଘୁମସର ବନଖଣ୍ଡ, ଖୋର୍ଦ୍ଧାର ଚନ୍ଦକା ଜଙ୍ଗଲ , ବାଲେଶ୍ୱର ଜିଲ୍ଲା ସୋର ବନାଂଚଳରେ ଜଙ୍ଗଲ ଜଳୁଛି ।

ବନାଗ୍ନୀର ପ୍ରକୋପ ଏମିତି ରହୁଛି ଯେ ନିଆଁକୁ ଆୟତ କରିବା ପାଇଁ ନାକେଦମ ହୋଇପଡୁଛି ବନବିଭାଗ । ଗୋଟିଏ ରେଞ୍ଜରେ ନିଆଁ ଲିଭାଇଲା ବେଳକୁ ଅନ୍ୟ ରେଞ୍ଜରେ ନିଆଁ ଲାଗୁଛି । ଜଙ୍ଗଲ ନିଆଁ ଏବେ ବନବିଭାଗର ଚିନ୍ତା ବଢାଇ ଦେଇଛି । ସେପଟେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି ନିଆଁକୁ ଆୟତ କରିବାକୁ ବର୍ଷା ଜରୁରୀ । ଆଗକୁ ବର୍ଷା ନହେଲେ ସ୍ଥିତି ସାଂଘାତିକ ହୋଇଯିବ । ଅକ୍ଟୋବରରୁ ବର୍ଷା ହୋଇନାହିଁ । ଏବେ ବର୍ଷା ହେଲେ ଯାଇ ନିଆଁ ଲିଭିପାରିବ ।
ତେବେ ପ୍ରଶ୍ନ ଏହା ଯେ କାହିଁକି ଜଳୁଛି ଜଙ୍ଗଲ? କିଏ ଲଗାଉଛି ନିଆଁ? ଏହି ପ୍ରଶ୍ନର ଉତର ଦେଇ ବନ ବିଭାଗ କହିଛି ଫେବୃୟାରୀ ସୁଦ୍ଧା ଓଡିଶାର ଯେତେ ଜଙ୍ଗଲରେ ନିଆଁ ଲାଗିଛି ସେସ~ବୁ ଶହେ ପ୍ରତିଶତ ମନୁଷ୍ୟକୃତ । ହେଲେ ବନବିଭାଗ ବର୍ତମାନ ସୁଦ୍ଧା ୯୭ ପ୍ରତିଶତ ନିଆଁକୁ ଆୟତ କରିପାରିଛି

ଫରେଷ୍ଟ ସର୍ଭେର ଏହି ମ୍ୟାପକୁ ଦେଖନ୍ତୁ । ମାର୍ଚ୍ଚ ୬ ତାରିଖରେ ରାଜ୍ୟର ୧,୩୮୦ଟି ସ୍ଥାନରେ ଜଳୁଛି ଜଙ୍ଗଲ । ୧୮୫ଟି ବଡ ଧରଣର ନିଆଁ ଲାଗିଥିବା ବନ ବିଭାଗ ସୂଚନା ଦେଇଛି । ସବୁଠାରୁ ବେଶୀ କୋରାପୁଟ୍, ବାରିପଦା ସର୍କଲକୁ ନେଇ ଚିନ୍ତାଜନକ ସ୍ଥିତି ଲାଗି ରହିଛି । ତେବେ ବନବିଭାଗ ଲୋକଙ୍କ ସଚେତନ କରି ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ପଦକ୍ଷେପ ନେଉଛି ।

ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ୨୭୮ ଫାୟାର ପ୍ରୋଟେକ୍ସନ ସ୍କ୍ୱାର୍ଡ ଗଠନ କରାଯାଇଛି । ଗୋଟିଏ ସ୍କ୍ୱାର୍ଡରେ ଅଛନ୍ତି ୧୦ ବନକର୍ମଚାରୀ । ଫାୟାର ପ୍ରୋଟେକ୍ସନ ସ୍କ୍ୱାର୍ଡ ପାଇଁ ଚାରି ଚକିଆ ଗାଡିର ବ୍ୟବସ୍ଥା । ଲୋକଙ୍କୁ ସଚେତନ କରିବା ପାଇଁ ବନସୁରକ୍ଷା ସମିତିର ସହଯୋଗ ନିଆଯାଉଛି । ଏସଏଚଜି ଜରିଆରେ ସଚେତନ ଉଦ୍ୟମ ହେଉଛି ।
ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ୧୬ ହଜାର ବନ ସୁରକ୍ଷା ସମିତି ସହ ୨୮୦ ଅଗ୍ନି ନିରୋଧକ ସ୍ପେଶାଲ ଟିମ୍ ନିୟୋଜିତ ହୋଇଛନ୍ତି । ଏହାଛଡା ଜଙ୍ଗଲ ପାଖ ଗାଁ ଗୁଡିକରେ ଜନସଚେତନତା ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ଯାତ୍ରା, ନାଟକ କରାଯାଉଛି ।