ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ : ସୂଚନା ଦେଲେ ମଙ୍ଗଳାବାଗ ଥାନା ଆଇଆଇସି 

268

କନକ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ । ଗୁରିଡିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଛି । ମଙ୍ଗଳାବାଗ ଥାନା ଆଇଆଇସି ଏ ନେଇ ସୂଚନା ଦେଇଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ମୃତଦେହ ମିଳିଛି ସେ ନେଇ ତଦନ୍ତ ଚାଲିଛି । ୧୧ତାରଖରୁ ନିଖୋଜ ନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା ।

କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପରୁ ସେ ଘରକୁ ଯାଉଥିବା କହି ଫେରିନଥିଲେ । ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଥିଲା । ତାଙ୍କ ମୋବାଇଲ୍ ଫୋନ୍ ଏବେ ସୁଇଚ୍ ଅଫ୍ ରହିଥିଲା । ତେବେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଂଚଳର ଗୁଣୁନିଧି ସ୍ୱାଇଁଙ୍କ ଝିଅ ରାଜଶ୍ରୀ । ପୁଡୁଚେରୀରେ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ସ୍ଥିତ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ ।

ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାକୁ ଯୋଜନା ଥିଲା । ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା । ହେଲେ ତାଲିକାରୁ ବାଦ୍ ପଡ଼ିଥିଲେ ରାଜଶ୍ରୀ । ୧୧ ତାରିଖ ଦିନ ସମସ୍ତ ଖେଳାଳି ଟାଙ୍ଗୀ ସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ ପାଇଁ ଯାଇଥିଲେ । ହେଲେ ରାଜଶ୍ରୀ ବାପାଙ୍କୁ ଭେଟିବାକୁ କୋଚଙ୍କୁ କହି ଯାଇଥିଲେ ।