୨୦୧୨ ରେ ‘ନନା ନେ ଦାନା’ । ୨୦୨୨ରେ ‘ପୂରଣ ହେଲା ଶପଥ’ । କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ସବୁ ଖିଅ ଯୋଡି ଚାଲିଛି ତଦନ୍ତ

298

କନକ ବ୍ୟୁରୋ: ପୁରୀରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ଗୁଳିକାଣ୍ଡ ଘଟଣା ଓ ୨୦୧୨ରେ ଗୁନସିଂହାରୀ ହତ୍ୟା ଘଟଣାରେ ଏକ କୋଡ୍ ୱାର୍ଡ ବ୍ୟବହାର ହୋଇଥିବା ପୁଲିସ ସନ୍ଦେହ କରୁଛି । ଗୁନ ସିଂହାରୀଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତ କହିଥିଲେ ‘ନନା ନେ ଦାନା’ ଆଉ ଏଥର କୃଷ୍ଣଚନ୍ଦ୍ରଙ୍କୁ ଗୁଳିକରିବା ପରେ ଦୁର୍ବୃତ୍ତ କହିଥିଲେ ‘ପୂରଣ ହେଲା ଶପଥ’ । ଏଇ ଦୁଇଟି ଘଟଣାରେ ଏଭଳି ଏକ ସାମଞ୍ଜସ୍ୟ ପୁରୀ ପୁଲିସକୁ ଭାବିବା ପାଇଁ ବାଧ୍ୟ କରିଛି ।

  • ୨୦୧୨ ରେ ‘ନନା ନେ ଦାନା’
  • ୨୦୨୨ରେ ‘ପୂରଣ ହେଲା ଶପଥ’

୨୦୧୨ ମସିହାରେ ଗୁନସିଂହାରୀକୁ ଗୁଳିକରି ହତ୍ୟା କରିବା ସମୟରେ ହତ୍ୟାକାରୀ କହିଥିଲେ ‘ନନା ନେ ଦାନା’ । ଆଉ ସେଇଠି ଟଳିପଡିଥିଲେ ଗୁନସିଂହାରୀ । ସେହିପରି କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଅପରାଧୀ କହିଥିଲେ ‘ପୁରଣ ହେଲା ଶପଥ‘ । ପୁରୀ ପୋଲିସ ଏ ଦୁଇଟି ଦିଗକୁ ନେଇ ଖୋଜୁଛି ହତ୍ୟାକାଣ୍ଡର ରହସ୍ୟ ।

ସେପଟେ ରକ୍ତଭିଜା ଦସ୍ତାବିଜରୁ ପୋଲିସ ପ୍ରମାଣ ଖୋଜୁଥିବା ବେଳେ ଗତକାଲି ମୃତ କାଳିଆ ପ୍ରତିହାରୀଙ୍କ ପରିବାରର ବୟାନ୍ ରେକର୍ଡ କରିଛି । ଗୁନ ହତ୍ୟା ମାମଲାରେ କାଳିଆ ପରିବାରକୁ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ଦୁଇ ହତ୍ୟା ମାମଲାରେ କଣ ଲିଙ୍କ ରହିଛି ତାର ତର୍ଜମା କରୁଛି ପୋଲିସ ।

ଅନ୍ୟପଟେ ବାଲିସାହି ବାରାହୀ ଲେନର କୁନମୁନ୍ ସୁଆର ସହିତ ପୂର୍ବରୁ କାଳିଆର ପୂର୍ବ ଶତୃତା ଥିଲା । ୨୦୦୭ରେ ଜମି ବିବାଦକୁ ନେଇ କୁନମୁନକୁ କାଳିଆ ଗୋଷ୍ଠୀ ମରଣାନ୍ତକ ଆକ୍ରମଣ ମାମଲାରେ କାଳିଆଙ୍କ ଭାଇ ଓ ସହଯୋଗୀ ଜେଲ ଯାଇଥିଲେ । ତେବେ କୁନୁମୁନଙ୍କ ଯୋଜନା ଅନୁସାରେ ଅଭିଯୁକ୍ତ ଟୁଟୁ ଓରଫ ପ୍ରଫୁଲ ମହାପାତ୍ର, ବାବା ଓରଫ ଆଶିଷ ମହାପାତ୍ର ଓ ମଙ୍ଗଳାଘାଟର ହରୀ ପଣ୍ଡା, କାଳିଆ ପ୍ରତିହାରୀଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ । ସେପଟେ ଖାଲି ଜାଗାବାଡି କି ପୂର୍ବ ଶତୃତା ନୁହେଁ ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ବିବାଦ ଓ ଆନନ୍ଦବଜାରରେ ଅବଢା କିଣାବିକା ଆଦି ଦିଗକୁ ନେଇ ପୋଲିସ ଘୋଳତାଡ କରୁଛି ।

କାଳିଆଙ୍କ ପତିଆରା ବଢୁଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ଓ କୁନମୁନ ପ୍ରତିଶୋଧ ନେବା ପାଇଁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ସୂଚନା ପାଇଛି ପୋଲିସ । ଏଯାବତ ପୁଲିସର ୪ଟି ଟିମ୍ ଜିଲ୍ଲା ବାହାରେ ଚଢାଉ ଜାରି ରଖିଥିବା ବେଳେ ଘଟଣା ସହ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଅଭିଯୁକ୍ତ ମାନେ ବ୍ରହ୍ମପୁରରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । କାରଣ ଅଭିଯୁକ୍ତ ଟୁଟୁ ବ୍ରହ୍ମପୁର ଅଞ୍ଚଳରେ ଦୀର୍ଘବର୍ଷ ଧରି ରହିଆସୁଥିଲା । ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଟୁଟୁର ସାହାର୍ଯ୍ୟ ନେଇ ସେଇଠାରେ ଲୁଚିଥିବା ପୋଲିସକୁ ସୂଚନା ମିଳିଛି । ଗୁରୁବାର ଠାରୁ ପୁରୀ ପୋଲିସର ଦୁଇଟି ଟିମ୍ ବ୍ରହ୍ମପୁରରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।